ପଶ୍ଚିମ ଓଡ଼ିଶାର ପ୍ରଖ୍ୟାତ ଗୀତିକାର ଓ ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତ ଆଉ ନାହାନ୍ତି। ଆଜି ସକାଳେ ସମ୍ବଲପୁର ସେନ୍ ପାର୍କ୍ ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ ।ସୂଚନାଯୋଗ୍ୟ ଯେ, ପଦ୍ମଶ୍ରୀ ବିନୋଦ ପଶାୟତ ବଲାଙ୍ଗିର ଜିଲ୍ଲା କୁସମେଲ ଗାଁରେ ୧୯୩୫ ମସିହା ଡିସେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ସମ୍ବଲପୁରୀ ଭାଷା ସାହିତ୍ୟରେ ଅନେକ ଗୀତ ଓ ନାଟକ ରଚନା କରିଛନ୍ତି l ୨୦୨୩ ମସିହା ଜାନୁଆରୀ ମାସରେ ଗୀତିନାଟ୍ୟ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ କେନ୍ଦ୍ର ସରକାର । କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ସମ୍ମାନିତ କରାଯାଇଥିଲା lବଲାଂଗୀରର ଟିକ୍ରାପଡ଼ାରେ ଜନ୍ମିତ ବିନୋଦ ପାଠପଢ଼ା ଛାଡ଼ି ତାଙ୍କ ପିତାଙ୍କ ସେଲୁନ୍ରେ କାମ କରିବା ଆରମ୍ଭ କରିଥିଲେ। ସେହି ସମୟରେ କିନ୍ତୁ ବଲାଂଗୀର ପ୍ରସିଦ୍ଧ ରାମଜୀ ନାଟକ ପାର୍ଟିରେ ଶିଶୁ କଳାକାର ଭାବେ ଅଭିନୟ କରିବା ଆରମ୍ଭ କରିଥିଲେ। ୧୯ ବର୍ଷ ବୟସରେ ଜୀବକା ଅନ୍ବେଷଣରେ ସମ୍ବଲପୁର ଚାଲିଆସି ସହର ହୃଦୟସ୍ଥଳରେ ବୈଦ୍ୟନାଥ ଛକରେ ନିଜର ଏକ ସେଲୁନ୍ ଆରମ୍ଭ କରିଥିଲେ। ଗୁରୁ ଅରୁଣ ପ୍ରସନ୍ନ ସେଠଙ୍କ ପ୍ରେରଣାରେ ସମ୍ବଲପୁରୀ ଭାଷାରେ ଲେଖିବା ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କ ସେଲୁନ୍ ସାହିତ୍ୟ ଓ ସଂସ୍କୃତି ପ୍ରେମୀଙ୍କ ମିଳନ କେନ୍ଦ୍ରରେ ପରିଣତ ହୋଇଯାଇଥିଲା। ବହୁ ସାରସ୍ବତ ସାଧକଙ୍କ ଆଗମନ ସହିତ ତାଙ୍କ ସେଲୁନ୍ରେ ସାହିତ୍ୟ ଚର୍ଚ୍ଚା ହେବା ଆରମ୍ଭ ହୋଇଥିଲା। ସମର୍ପଣ, ଆଦିବାସୀ, ପରସ୍ତ୍ରୀ( ଅଣ ମୁକ୍ତିପ୍ରାପ୍ତ), ଚିନି ଆଦି ଓଡ଼ିଆ ଚଳଚ୍ଚିତ୍ର ପାଇଁ ବିନୋଦ ପଶାୟତ ଗୀତ ଲେଖିଛନ୍ତି।
