ପାକିସ୍ତାନୀଙ୍କୁ ଭାରତ ଛାଡିବା ପାଇଁ ଆଜି ସରୁଛି ଡେଡ୍ ଲାଇନ୍ ।

ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ଉଠାଉଛନ୍ତି ଭାରତ ସରକାର । ସୁରକ୍ଷା ମାମଲାରେ କୌଣସି ପ୍ରକାରର ସାଲିସ କରିବାକୁ ପ୍ରସ୍ତୁତ ନାହାନ୍ତି ସରକାର । ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିବା ଓ ଅଟାରୀ-ବର୍ଡରକୁ ଅସ୍ଥାୟୀ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାରି ଭିତରେ ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡ଼ିବା ପାଇଁ ଆଜି ହେଉଛି ଶେଷ ତାରିଖ । ୨୯ ତାରିଖ ପର୍ଯ୍ୟନ୍ତ ସେମାନେ ଭାରତରେ ରହିପାରିବେ ବୋଲି କୁହାଯାଇଥିଲା ।

ତେବେ ଅନ୍ୟ ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ରହିଥିଲା । ୨୭ ତାରିଖରେ ଡେଡଲାଇନ ସରିଥିଲେ ମଧ୍ୟ ଏବେ ବି ଭାରତ ଛାଡିନାହାନ୍ତି ବହୁ ପାକିସ୍ତାନୀ ନାଗରିକ ।ଏପଟେ ଓଡ଼ିଶାରେ ୧୨ଜଣ ପାକିସ୍ତାନ ନାଗରିକ ରହୁଥିବା ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ଜଣେ ମହିଳା ଓଡ଼ିଶା ଛାଡ଼ି ପାକିସ୍ତାନ ପଳାଇଛନ୍ତି । ଭୁବନେଶ୍ବରରେ ରହୁଥିବା ନଗମା ୟୁସୁଫ୍ କରାଚିରେ ପହଞ୍ଚିଛନ୍ତି । ଅନ୍ୟ ୧୦ ଜଣ ପାକ ନାଗରିକଙ୍କ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ଭାରତ ଛାଡ଼ି ନଥିବା ପାକିସ୍ତାନ ନାଗରିକଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ। ସେହିପରି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ହୋଇପାରେ। କଣ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ ତାକୁ ଅପେକ୍ଷା ରହିଥିବା ବେଳେ ଆଜି ମେଡିକାଲ ଭିସାରେ ଭାରତରେ ଥିବା ପାକିସ୍ତାନ ନାଗରିକଙ୍କ ଡେଡଲାଇନ ସରୁଛି ।

ଅଧିକ ପଢନ୍ତୁ

kc ads