ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନୀ ସାଇବର ଅପରାଧୀଙ୍କ ଦ୍ୱାରା ଓଡ଼ିଶାର କେତେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବସାଇଟ ହ୍ୟାକ ହୋଇଥିବା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଏହି ସାଇବର ଆକ୍ରମଣରେ ରାଜ୍ୟ ସରକାରୀ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ଓ୍ବେବସାଇଟଗୁଡ଼ିକୁ ଟାର୍ଗେଟ କରାଯାଇଛି। ତେବେ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ)ର ୱେବସାଇଟ୍ ‘ପାକିସ୍ତାନ ସାଇବର ଫୋର୍ସ’ ଭାବରେ ନିଜର ପରିଚୟ ଦେଉଥିବା ଏକ ଗୋଷ୍ଠୀ ଦ୍ୱାରା ହ୍ୟାକ୍ ହୋଇଥିବା ଜଣାପଡ଼ିଛି।ବୁଧବାରଠାରୁ ୱେବସାଇଟ୍ଟି ଅକାମୀ ହୋଇପଡ଼ିଥିବା କୁହାଯାଉଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୱେବସାଇଟ୍ ଉପରେ କ୍ଲିକ୍ କଲେ ଏକ ଅସ୍ବାଭାବିକ ହୋମପେଜ୍ ଦେଖାଯାଉଛି ଯେଉଁଥିରେ ଲେଖା ଅଛି “ଏହି ୱେବସାଇଟ୍ ପାକିସ୍ତାନ ସାଇବର ଫୋର୍ସ ଦ୍ୱାରା ହ୍ୟାକ୍ କରାଯାଇଛି।ଏହି ଘଟଣା ପରେ ରାଜ୍ୟ ସାଇବର ସୁରକ୍ଷା ବିଭାଗ ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂତ୍ରରୁ ଜଣାପଡ଼ିଛି ଯେ, ହ୍ୟାକରମାନେ ଓ୍ବେବସାଇଟର ଡାଟାବେସରେ ଅନଧିକୃତ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ଏବଂ କିଛି କ୍ଷେତ୍ରରେ ସେମାନେ ସଫଳ ହୋଇଛନ୍ତି।
ତେବେ, ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।ସାଇବର ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ଏକ ସଙ୍ଗଠିତ ସାଇବର ଆକ୍ରମଣ ହୋଇପାରେ, ଯାହା ପଛରେ ପାକିସ୍ତାନୀ ହ୍ୟାକର ଗ୍ରୁପର ହାତ ରହିଥାଇପାରେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଓ୍ବେବସାଇଟର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ଘଟଣା ସମ୍ପର୍କରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରାଯାଇ ନାହିଁ। ସାଇବର ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୱେବସାଇଟ୍ କାହିଁକି ଟାର୍ଗେଟ କରାଯାଇଛି ତାହା ଜଣାପଡ଼ିନାହିଁ।