ହରିୟାଣାର ଜଣେ ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ହରିୟାଣାର ହିସାରରୁ ସିଭିଲ ଲାଇନ୍ସ ପୁଲିସ ତାଙ୍କୁ ଗିରଫ କରିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ଜ୍ୟୋତି ନିୟମିତ ଯୋଗସୂତ୍ର ରକ୍ଷା କରିବା ସହିତ ଭାରତ ସମ୍ବନ୍ଧରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ହ୍ବାଟ୍ସଆପ, ଟେଲିଗ୍ରାମ ଏବଂ ସ୍ନାପଚାଟ୍ ଜରିଆରେ ସେ ଏହି ତଥ୍ୟ ପ୍ରଦାନ କରୁଥିଲେ।ତେବେ ସୂଚନା ଅନୁସାରେ ୨୦୨୩ ମସିହାରେ ଜ୍ୟୋତି ମଲହୋତ୍ରା କମିଶନ ମାଧ୍ୟମରେ ପାକିସ୍ତାନ ଭିସା ପାଇଥିଲେ ଏବଂ ସେ ସେଠାକୁ ଯାଇଥିଲେ । ସେ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ କର୍ମଚାରୀ ଦାନିଶଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା । ତାଙ୍କର ପାକିସ୍ତାନୀ ଗୁଇନ୍ଦା ବିଭାଗ ସହିତ ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି ସୂଚନା ମିଳିଛି ।
ଗୁଇନ୍ଦା ସଂସ୍ଥାଗୁଡ଼ିକ ଦାବି କରିଛନ୍ତି ଯେ ଭାରତ ଫେରିବା ପରେ ଜ୍ୟୋତି ପାକିସ୍ତାନୀ ଏଜେଣ୍ଟମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିଥିଲେ । ବିଭିନ୍ନ ମାଧ୍ୟମରେ ସେ ଭାରତ ସହ ଜଡିତ ସମ୍ବେଦନଶୀଳ ସୂଚନା ପାକିସ୍ତାନକୁ ସେୟାର କରିଚାଲିଥିଲେ । ଯାହାକି ଏପ୍ରକାର କାର୍ଯ୍ୟକଳାପ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦର ଭୟ ସୃଷ୍ଟି କରୁଛି ।ଜ୍ୟୋତି ମାଲହୋତ୍ରାଙ୍କୁ ପଚରାଉଚରା କରାଯାଉଛି। ତାଙ୍କ ସହ ଆଉ କିଏ ସମ୍ପର୍କରେ ଥିଲେ ତାହା ଜାଣିବାକୁ ଚେଷ୍ଟା କରାଯାଉଛି। ସେ ଟଙ୍କା ପାଇଁ କିମ୍ବା ଅନ୍ୟ କୌଣସି ଲାଭ ପାଇଁ ଏହି ସୂଚନା ସେୟାର କରିଥିଲେ କି ନାହିଁ ତାହା ମଧ୍ୟ ତଦନ୍ତ କରାଯାଉଛି। ହରିୟାଣା ପୋଲିସ ଆଇଏସଆଇ ପାଇଁ ଗୁପ୍ତଚର ଅଭିଯୋଗରେ ମୋଟ ୬ ଜଣଙ୍କୁ ଗିରଫ କରିଛି। ଏଥିରେ YouTuber ଜ୍ୟୋତି ମାଲହୋତ୍ରା ମଧ୍ୟ ସାମିଲ ଅଛନ୍ତି।