ଦେଶରେ ଭୂତଳ ଜଳ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଜଳ ଅପଚୟ ରୋକିବାକୁ କଠୋର ପଦକ୍ଷେପ ନେବା ପାଇଁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଦିଲ୍ଲୀ ଜଳ ବୋର୍ଡ ବୁଧବାର ଘୋଷଣା କରି କହିଛି ଯେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଯିଏ ପାଣି ନଷ୍ଟ କରୁଥିବାର ଧରାପଡ଼ିବେ ସେମାନଙ୍କର ୨୦୦୦ ଟଙ୍କା ଚାଲାଣ କଟାଯିବ। ଜଳ ଅପଚୟ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ୨୦୦ଟି ଦଳ ନିୟୋଜିତ କରିବାକୁ ଦିଲ୍ଲୀ ଜଳ ବୋର୍ଡ ଅଧ୍ୟକ୍ଷା ତଥା ମନ୍ତ୍ରୀ ଅତିଶି ବୋର୍ଡର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସହ ବାଣିଜ୍ୟିକ ନିର୍ମାଣ କାର୍ୟ୍ୟରେ ପାନୀୟ ଜଳ ବ୍ୟବହୃତ ହେଉଥିଲେ ଏହାର ସଂଯୋଗ କାଟିବା ପାଇଁ ନିର୍ଦେଶ ଦିଆଯାଇଛି।
ସରକାରୀ ଚିଠିରେ ଦିଲ୍ଲୀ ଜଳମନ୍ତ୍ରୀ ଅତିଶୀ କହିଛନ୍ତି “ ହରିଆଣା ସରକାର ଦିଲ୍ଲୀର ଭାଗ ପାଣି ନ ଛାଡ଼ିବାରୁ ଅତ୍ୟଧିକ ଗରମ ଯୋଗୁ ଦିଲ୍ଲୀର ଜଳାଭାବ ଦେଖା ଦେଇଛି। ଏଭଳି ପରିସ୍ଥିତିରେ ଜଳ ସଂରକ୍ଷଣର ଖୁବ୍ ଆବଶ୍ୟକତା ରହିଚି। ଏହାସତ୍ତ୍ୱେ ବି ଦିଲ୍ଲୀର ଏକାଧିକ ସ୍ଥାନରେ ପାଣି ନଷ୍ଟ କରାଯାଉଛି। ସେହିପରି ନିର୍ମାଣ ସ୍ଥଳ ଓ ବାଣିଜ୍ୟିକ ଭିତ୍ତିଭୂମିରେ ମଧ୍ୟ ବେଆଇନ ଭାବେ ଜଳ ସଂଯୋଗ ହୋଇଛି। ଏଗୁଡ଼ିକ ରୋକିବାକୁ କାର୍ଯ୍ୟାନୁଷ୍ଠାନ ଦରକାର।”