ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଦିନିକିଆ ପାରାଦୀପ ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ଏନେଇ ସମୀକ୍ଷା କରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରକୃତିର ବିରଳ ଅବଦାନ ବଙ୍ଗୋପସାଗର ଉପକୂଳର ପାରାଦୀପ ଠାରୁ ୭ କିଲୋମିଟର ସମୁଦ୍ର କୂଳ ବେଳାଭୂମିରେ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୩ କିଲୋମିଟର ପାଇଁ ବ୍ଲୁ ଫ୍ଲାଗ ବିଚ୍ ନିର୍ମାଣ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ସମସ୍ତ ପ୍ରୟାସ ଜାରି ରହିଛି। ଏହା ସହିତ ବିଭିନ୍ନ କୋଣରୁ ପାରାଦୀପର ମୁନିସିପାଲିଟି ହେଉ କିମ୍ବା ବନ୍ଦରନଗରୀର ବିକାଶ ପାଇଁ ବନ୍ଦର ଅଧ୍ୟକ୍ଷ ପି.ଏଲ ହର ନାଦଙ୍କ ସହିତ ବିଭିନ୍ନ ଶିଳ୍ପସଂସ୍ଥାମାନଙ୍କ ସହ ବିସ୍ତୃତ ଆଲୋଚନା କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ୨୦୪୭ ସୁଦ୍ଧା ଏହି ଅର୍ଥନୈତିକ ଜୋନରୁ ରାଜ୍ୟ ରାଜକୋଷକୁ ୩୩ ପ୍ରତିଶତ ଅର୍ଥ ଆସିବାକୁ ଟାର୍ଗେଟ ରଖାଯାଇଛି। ପାରାଦୀପରେ ବନ୍ଦର, ଶିଳ୍ପ ସହ ପର୍ଯ୍ୟଟନକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ସେହିପରି ପୁରୀରେ ପର୍ଯ୍ଯଟନ, କଟକକୁ ଐତିହାସିକ ସହର ଓ ଭୁବନେଶ୍ବରକୁ ଶିକ୍ଷା, ସ୍ବାସ୍ଥ୍ଯ ଭିତ୍ତିଭୂମି ଭାବେ ପରିଗଣିତ କରାଯିବାକୁ ଟାର୍ଗେଟ ରଖାଯାଇଛି।
