ପାଳିତ ହେଲା ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଦିବସ

ନୟାଗଡ଼,(ଓଡିଶା ଦର୍ପଣ): ଉତ୍କଳ ସମ୍ମିଳନୀର ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ୧୯୩୬ ଏପ୍ରିଲ୍ ୧ ତାରିଖ ଦିନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇପାରିଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରଚେଷ୍ଟାକ୍ରମେ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ହୋଇଥିଲା ଏବଂ ଏହାର ବୈଠକ ଡିସେମ୍ବର ୩୦ ତଥା ୩୧ ତାରିଖରେ କଟକର ଇଦଘା ପଡିଆ ଠାରେ ଅନୁଷ୍ଠିତ ହୋଇ ସେତେବେଳେ ଖଣ୍ଡ ବିଖଣ୍ଡିତ ଥିବା ଓଡ଼ିଶାକୁ ଏକାଠି କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ପ୍ରୟାସ ଆରମ୍ଭ ହୋଇଥିଲା। ଏହି ଐତିହାସିକ ଦିନଟିକୁ ସ୍ମରଣକରିବା ନିମନ୍ତେ ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ପାଳିତ ହୋଇଯାଇଛି ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଦିବସ। ପ୍ରାତଃ ସମୟରେ ନୟାଗଡ଼ ସହରରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହ ସକାଳ ଦଶ ଘଟିକା ସମୟରେ ସ୍ଥାନୀୟ ଇନସ୍ପାୟାର ମହାବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଆଲୋଚନାଚକ୍ର ଓ କବିତାପାଠ କରାଯାଇଥିଲା। ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖାର ସଭାପତି ବସିରନ୍ ବିବି ଏଥିରେ ସଭାପତିତ୍ବ କରିଥିଲେ। ହରପ୍ରିୟା ଦ୍ବିବେଦୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ ତଥା ସମାଜସେବୀ ଅରୁଣ ମହାନ୍ତି ବକ୍ତା ଭାବେ ଯୋଗଦେଇ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ତଥା ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ଆଲୋଚନାରେ ଜ୍ଞାନ ପ୍ରକାଶ ବାରିକ, ଉମାମଣି ମିଶ୍ର,କାମାକ୍ଷା ପ୍ରସାଦ ଦାଶ ଅଂଶଗ୍ରହଣ କରିବାସହ ମମତା ମଂଜରୀ ଦେବୀ,ରୀତା ରାଣୀ ମିଶ୍ର,ଅଶୋକ ନାୟକ,ମାନସ , କ୍ଷଣପ୍ରଭା କର ପ୍ରମୁଖ ମୋ ଓଡ଼ିଶା ଶୀର୍ଷକ କବିତାପାଠ କରିଥିଲେ। ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ।

ଅଧିକ ପଢନ୍ତୁ

Odisha Darpan Digital