ବିହାରରେ ଏସଆଇଆର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ନିର୍ବାଚନ କମିସନଙ୍କ ନିଷ୍ପତ୍ତି ବିରୋଧରେ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆଧାର କାର୍ଡକୁ ନିର୍ବାଚନ ଅଧିକାରୀମାନେ ଦ୍ୱାଦଶ ଡକ୍ୟୁମେଣ୍ଟ ଭାବରେ ବିବେଚନା କରିବେ। ଅଧିକାରୀମାନଙ୍କୁ ଆଧାର କାର୍ଡର ପ୍ରାମାଣିକତା ଏବଂ ବାସ୍ତବତା ଯାଞ୍ଚ କରିବାର ଅଧିକାର ରହିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହାକୁ ନାଗରିକତାର ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ। ନିର୍ବାଚନ କମିଶନ ଏହି ନିର୍ଦ୍ଦେଶର ସୂଚନା ତାଙ୍କ ୱେବସାଇଟରେ ସାର୍ବଜନୀନ କରିବା ଉଚିତ।ସୁପ୍ରିମକୋର୍ଟରେ ଆରଜେଡି ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ଯୁକ୍ତି ଦେଇଥିଲେ । କପିଲ ସିବଲ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ, ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏବଂ ବିଏଲଓ ଆଧାରକୁ ଏକମାତ୍ର ଡକ୍ୟୁମେଣ୍ଟ ଭାବରେ ଗ୍ରହଣ କରୁନାହାଁନ୍ତି । ସିବଲ କୋର୍ଟରେ ସେହି ଭୋଟରମାନଙ୍କର ସତ୍ୟପାଠ ମଧ୍ୟ ଦାଖଲ କରିଥିଲେ ଯେଉଁମାନଙ୍କର ଆଧାର ଗ୍ରହଣ କରାଯାଇ ନଥିଲା । ସେ କହିଥିଲେ, ‘ଆଧାର ସବୁଠାରୁ ସାର୍ବଜନୀନ ଡକ୍ୟୁମେଣ୍ଟ ।
ଜଷ୍ଟିସ୍ ବାଗଚି କହିଛନ୍ତି ଯେ କମିଶନଙ୍କ ତାଲିକାରେ ଅନ୍ତର୍ଭୁକ୍ତ ୧୧ ଟି ଦଲିଲ ମଧ୍ୟରୁ କେବଳ ପାସପୋର୍ଟ ଏବଂ ଜନ୍ମ ପ୍ରମାଣପତ୍ର ହିଁ ନାଗରିକତାର ପ୍ରମାଣ, ଅନ୍ୟ କୌଣସିଟି ନାଗରିକତା ପ୍ରମାଣ କରେ ନାହିଁ ।
