ପିଆଜ, ରସୁଣ ଭାଙ୍ଗିଦେଲା ଘରସଂସାର; କୋର୍ଟରେ ହେଲା ବିବାହ ବିଚ୍ଛେଦ

ଗୁଜରାଟ ହାଇକୋର୍ଟରେ ଏକ ଅଜବ ବିବାବ ବିଚ୍ଛେଦ ମାମଲା ସାମ୍ନାକୁ ଆସିଛି । ପତି-ପତ୍ନୀଙ୍କ ମଧ୍ୟରେ ଫାଟ ସୃଷ୍ଟି କଲା ପିଆଜ, ରସୁଣ । ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି।ମହିଳା ଜଣକ ସ୍ବାମୀନାରାୟଣ ଦୀକ୍ଷା ନେଇଥିବାରୁ ପିଆଜ, ରସୁଣ ଖାଇବାକୁ ମନା କରିଦେଇଥିଲେ। ଏହି ବିବାଦ ଏପରି ଘନେଇଲା ଯେ, ମାମଲା ଅଦାଲତକୁ ଯାଇଥିଲା। ଗୁଜରାଟ ହାଇକୋର୍ଟ ଫାମିଲି କୋର୍ଟ ରାୟକୁ ବଳବତ୍ତର ରଖି ବିଚ୍ଛେଦ ଅନୁମତି ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ଦମ୍ପତ୍ତିଙ୍କର ବିବାହ 2002ରେ ହୋଇଥିଲା । କିନ୍ତୁ ଶାଶୁ ଘରେ ଉକ୍ତ ମହିଳାଙ୍କ ପିଆଜ, ରସୁଣ ଖାଇବା ଉପରେ ବାରଣ ଥିଲା । ମହିଳାଜଣକ ଅନ୍ୟ ସଂପ୍ରଦାୟର ଥିଲେ । ସେ ଯେହେତୁ ପିଆଜ, ରସୁଣ ଖାଉ ନ ଥିଲେ, ପରିବାରର ଅନ୍ୟ ସଦସ୍ୟମାନେ ବି ପିଆଜ ରସୁଣ ଖାଇବା ବନ୍ଦ କରନ୍ତୁ ବୋଲି ସେ ଦାବି କରୁଥିଲେ । ହେଲେ ସେମିତି ହୋଇ ନ ଥିଲା । ଏଥିରେ କ୍ଷୁବ୍ଧ ହୋଇ ମହିଳା ଜଣକ 2013ରେ ପତି, ପୁତ୍ରଙ୍କୁ ଛାଡି ଏକୁଟିଆ ଘରୁ ପଳାଇଥିଲେ । ଏହା ପରେ ସ୍ୱାମୀ କୋର୍ଟରେ ବିବାହ ବିଚ୍ଛେଦ ପାଇ ଆବେଦନ କରିଥିଲେ । ଏହାକୁ ଫ୍ୟାମିଲି କୋର୍ଟ ଗ୍ରହଣ କରି ନେଇଥିଲେ ଏବଂ ବିବାହ ବିଚ୍ଛେଦକୁ ମଞ୍ଜୁରୀ ଦେଇଥିଲେ ।ତେବେ ମହିଳାଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ଫାମିଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସ୍ବାମୀ ୧୮ ମାସ ହେଲା ଭରଣପୋଷଣ ଦେଇ ନ ଥିବାରୁ ମହିଳା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ କେବଳ ୨.୭୨ ଲକ୍ଷ ଟଙ୍କା ଅନ୍ତରୀଣ ଖର୍ଚ୍ଚ ପାଇଥିବାବେଳେ ଅବଶିଷ୍ଟ ୧୩.୨ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ମହିଳାଙ୍କ ଓକିଲ ହାଇକୋର୍ଟରେ ଯୁକ୍ତି ବାଢ଼ିଛନ୍ତି।

ଅଧିକ ପଢନ୍ତୁ