ପିଲାଙ୍କ ମନରେ ପ୍ରେରଣା ଏବଂ ଉତ୍ସାହ ଭରିଥାଏ ବାର୍ଷିକ ଉତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ): ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକ ଉତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହେବା ସହିତ ଛାତ୍ରଛାତ୍ରୀଙ୍କ ମନରେ ଭରିଥାଏ ଅଦମ୍ୟ ଉତ୍ସାହ ଏବଂ ପ୍ରେରଣା । ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ପୂର୍ବାହ୍ନରେ ଆୟୋଜିତ ବାର୍ଷିକୋତ୍ସବ ସଭାରେ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ସରୋଜ ନଳିନୀ ଦାସ, କୈଳାସ ଚନ୍ଦ୍ର ରଥ ଏବଂ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ କଠୋର ପରିଶ୍ରମ ସହିତ ପାଠପଢ଼ା ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ମଞ୍ଚ ପରିଚାଳନା ଏବଂ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଶିକ୍ଷକ ଲକ୍ଷ୍ମୀଧର ସାହୁ ଏବଂ ଅନସୂୟା ମିଶ୍ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭା ପ୍ରାରମ୍ଭରେ ଅତିଥି ମାନେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଅର୍ପଣ କରିବା ପରେ ପିଲାମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।

ପରେ ବାର୍ଷିକ କ୍ରୀଡ଼ା ଏବଂ ଆମ ଖେଳନା ଆମ ସଂସ୍କୃତି କାର୍ଯ୍ୟକ୍ରମର ବିଭିନ୍ନ ବିଭାଗରେ  ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀ ତଥା ଶ୍ରେଣୀ ଟପ୍ପର ମାନଙ୍କୁ ଅତିଥି ମାନେ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଶିକ୍ଷକ ପ୍ରଦୀପ୍ତ କୁମାର ଡାକୁଆ, ଉମାକାନ୍ତ ମିଶ୍ର, ନବଜ୍ୟୋତି ମହାପାତ୍ର, ଅଶୋକ ମିଶ୍ର,ମାନସ କୁମାର ସାହୁ, ରୋଜାଲିନ ମିଶ୍ର, ଜ୍ୟୋତିର୍ମୟୀ ରଥ,ସୁଚିତ୍ରା ଦେବୀ,ଭବାନୀ କୁମାରୀ ଆଚାର୍ଯ୍ୟ, ସୁନିତା ନାୟକ, କାଦମ୍ବିନୀ କରଣ, ଉଷାରାଣୀ ପ୍ରଧାନ, ସ୍ଵାଗତିକା ଦଳେଇ, ସୌଦାମିନୀ ପ୍ରଧାନ ପ୍ରମୁଖଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ସ୍ମିତା ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ।

ଅଧିକ ପଢନ୍ତୁ

kc ads