ପୁଣି ଅଦିନରେ ଇସ୍କନ କରିବ ରଥଯାତ୍ରା । ରଥାରୂଢ଼ ଠାକୁରଙ୍କ ତ୍ରୁଟିପୂର୍ଣ୍ଣ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆସନ୍ତାକାଲି ଇଂଲଣ୍ଡର ଚେମ୍ସଫୋର୍ଡରେ ଆୟୋଜିତ ହେବ ରଥଯାତ୍ରା ।ସ୍ପିରିଚୁଆଲ ୟୁଟ୍ୟୁବର ଗୋବିନ୍ଦ କ୍ରିଷ୍ଣା ଦାସଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।ମେ’ ୧୮ ତାରିଖ ଦିନ ୧୨ଟାରୁ ୫ ଟା ପର୍ଯ୍ୟନ୍ତ ରଥଯାତ୍ରା କରାଯିବ ବୋଲି ପୋଷ୍ଟରେ ଉଲ୍ଲେଖ କରାଯାଇଛି ।ବାରମ୍ବାର ଇସ୍କନ ପକ୍ଷରୁ ଏ ପ୍ରକାର ମନମାନି କରାଯାଉଛି । ଏ ନେଇ ତାଗିଦ୍ କରିବା ପରେ ବି ଇସ୍କନ ପକୃତି ବଦଳାଉ ନାହିଁ ।
ତେବେ କେବଳ ଅଦିନ ରଥଯାତ୍ରା ନୁହେଁ ତ୍ରୁଟିପୂର୍ଣ୍ଣ ରଥାରୂଢ଼ ମହାପ୍ରଭୁଙ୍କ ଚିତ୍ର ଏହି ପୋଷ୍ଟରେ ରହିଛି । ବଳଭଦ୍ର ତାଳଧ୍ୱଜ ରଥରେ ମହାପ୍ରଭୁ ଜଗନ୍ନାଥ, ନନ୍ଦିଘୋଷରେ ଦେବୀ ସୁଭଦ୍ରା ଓ ଦେବଦଳନ ରଥରେ ବଡ଼ଠାକୁରଙ୍କ ରଥାରୂଢ଼ ଚିତ୍ର ଦର୍ଶାଇ ମର୍ଯ୍ୟାଦା କ୍ଷୁଣ୍ଣ କରିଛି ଏହି ପୋଷ୍ଟର । ବେଲିମେଡୋ ପାର୍କରୁ ସେଣ୍ଟ୍ରାଲ ପାର୍କ ପର୍ଯ୍ୟନ୍ତ ପରେଡ ରହିଥିବା ବେଳେ ଦିନ ୧୨ଟାରୁ ୫ଟା ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରାରେ ନିଶୁଳ୍କ ପ୍ରସାଦ ପାଇଁ ପୋଷ୍ଟର ମାଧ୍ୟମରେ ବିଜ୍ଞପ୍ତି ରହିଛି । ଆୟୋଜକ ମାନଙ୍କର ଯୋଗାଯୋଗ ନମ୍ବର୍ ମଧ୍ୟ ରହିଛି । ସାଂସ୍କୃତିକ କାର୍ଯ୍ୟକ୍ରମ, ହେନା ଟାଟୁ, ଫେସ୍ ପେଣ୍ଟିଂ, ମ୍ୟାଜିକ୍ ସୋ‘, କୀର୍ତ୍ତନ, ଯୋଗ ଇତ୍ୟାଦିର ମଧ୍ୟ ବିଜ୍ଞପ୍ତି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ପୁରୀରେ ଏ ଖବର ନେଇ କୌଣସି ପ୍ରତିକ୍ରିୟା ଆସି ନ ଥିବାବେଳେ ଇସ୍କନ ପକ୍ଷରୁ ମଧ୍ୟ କିଛି କୁହାଯାଇ ନାହିଁ ।