ମହାରାଷ୍ଟ୍ର ନଭି ମୁମ୍ବାଇରେ ଜଣେ ମହିଳାଙ୍କୁ ଗୁଗଲ ମ୍ୟାପ୍ ଫଲୋ କରିବା ମହଙ୍ଗା ପଡିଛି। ରୁଟକୁ ଫଲୋ କରି ମହିଳାଙ୍କ କାର ଖାଇକୁ ଖସିପଡିଛି। ତେବେ ଉପସ୍ଥିତ ସୁରକ୍ଷା ଅଧିକାରୀମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ମହିଳାଙ୍କୁ ଉଦ୍ଧାର କରିଛନ୍ତି। ମହିଳାଙ୍କୁ ସେପରି ଗୁରୁତର ଆଘାତ ଲାଗି ନାହିଁ, ସେହି ପରି ତାଙ୍କ କାରକୁ ମଧ୍ୟ ବାହାର କରାଯାଇଛି। ରିପୋର୍ଟ ଅନୁସାରେ ମହିଳାଙ୍କୁ ବେଲାପୁରରୁ ଉଲଭେ ଯିବାର ଥିଲା। ଏଥି ପାଇଁ ସେ ଘରୁ କାରରେ ବାହାରିଥିଲେ। ତାଙ୍କୁ ବେଲାପୁର ୱେବ୍ରିଜ୍ ଦେଇ ଯିବାର ଥିଲା। ତେବେ ଗୁଗଲ ମ୍ୟାପ୍ ତାଙ୍କୁ ପୋଲ ତଳେ ଧ୍ରୁବତାରା ଜେଟି ଆଡକୁ ଯାଉଥିବା ରାସ୍ତା ଦେଖାଇ ଦେଇଥିଲା। ରାସ୍ତା ସମ୍ପର୍କରେ ମହିଳାଙ୍କୁ ଜଣା ନଥିଲା, ଏଣୁ ସେ ଗୁଗଲ ମ୍ୟାପ୍ କୁ ଅନ୍ଧ ଭଳି ଅନୁସରଣ କରିଥିଲେ। ଏଣୁ ମହିଳା ଆଗକୁ ରାସ୍ତା ନଥିବା ଜାଣି ପାରି ନଥିଲେ ଓ କାର ସହ ଖାଇକୁ ଖସିପଡିଥିଲେ। ପୂର୍ବରୁ ମଧ୍ୟ ଏକାଧିକ ସ୍ଥାନରେ ଗୁଗୁଲ୍ ମ୍ୟାପ୍ ଉପରେ ଭରସା କରି ଯାତ୍ରୀମାନେ ଅସୁବିଧା ଭୋଗିଛନ୍ତି। ଗତ ଜୁନ୍ ୯ ତାରିଖରେ ଉତ୍ତରପ୍ରଦେଶ ଗୋରଖପୁର ମହାରାଜାଗଞ୍ଜରେ ଗୁଗୁଲ ମ୍ୟାପର ଭୁଲ୍ ସୂଚନାରୁ ଘଟିଯାଇଥାନ୍ତା ବଡ଼ ଦୁର୍ଘଟଣା। ଅଧରାତିରେ ଏକ ନିର୍ମାଣାଧୀନ ଫ୍ଲାଇଓଭର ଉପରେ ଚଢାଇଦେଇଥିଲା ଗୁଗୁଲ୍ ମ୍ୟାପ୍। ସୌଭାଗ୍ୟବଶତଃ ଯାତ୍ରୀମାନେ ବର୍ତ୍ତିଯାଇଥିଲେ।
