ପୁରୀର ଶାମୁକା ବିଚ୍ ପ୍ରକଳ୍ପର ମାଷ୍ଟର ପ୍ଲାନ ଏବେ ପୁଣି ଥରେ ବଦଳିବ। ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ଶାମୁକା ପ୍ରକଳ୍ପର ନୂଆ ଡିଜାଇନ ପ୍ରସ୍ତୁତ କରାଯିବ।ଏଥିପାଇଁ ପର୍ଯ୍ୟଟନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ପୁରୀ ଜିଲା ଶିପସରୁବାଲିସ୍ଥିତ ସମୁଦ୍ର ବେଳାଭୂମିରେ ଶାମୁକା ପ୍ରକଳ୍ପ ଜରିଆରେ ତଟବର୍ତ୍ତୀ ପର୍ଯ୍ୟଟନକୁ ଏକ ନୂଆ ଦିଗନ୍ତ ଦେବା ପାଇଁ ୧୯୯୬ ମସିହାରେ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ସେହିବର୍ଷ କେନ୍ଦ୍ର ସରକାର ସ୍ପେଶାଲ ଟୁରିଜିମ୍ ଅଥରିଟି, ପୁରୀ ଗଠନ କରିଥିଲେ। ସମୁଦ୍ର କୂଳରେ ପ୍ରାୟ ୩୫୦୦ ଏକର ଜମିରେ ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳ ଭାବେ ଏହା ଗଢ଼ି ଉଠିଥାନ୍ତା। ହୋଟେଲ, ରିସୋର୍ଟ ନିର୍ମାଣ ସହିତ ପର୍ଯ୍ୟଟକଙ୍କ ପାଇଁ ନାନାଦି ସୁବିଧା ହୋଇଥାନ୍ତା।
ହେଲେ ସେତେବେଳେ ଏହି ମହତ୍ବାକାଂକ୍ଷୀ ପ୍ରକଳ୍ପକୁ ଯେଉଁ ଗୁରୁତ୍ବ ମିଳିବା କଥା ତାହା ହେଲା ନାହିଁ। ୨୦୦୭ ମସିହାରେ ଏହି ପ୍ରକଳ୍ପ ଓଡ଼ିଶା ପର୍ଯ୍ୟଟନ ବିଭାଗ ହାତକୁ ଆସିବା ପରେ ଏହାର ନାମ ଶାମୁକା ବିଚ୍ ପ୍ରକଳ୍ପ ରଖାଯାଇଥିଲା। ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ପରେ ୨୦୦୮ରେ ଗୋଟିଏ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଗଲା। ତେବେ ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଏରୋ ସିଟି ଯୋଗୁଁ ସ୍ଥାନୀୟ ଅଞ୍ଚଳର ବିକାଶ ନିୟମାବଳୀରେ ପରିବର୍ତ୍ତନ ଆସିଛି। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ର କଟକଣା ଏବଂ ଉପକୂଳ ନିୟାମକ ଜୋନ୍ (CRZ) ନିୟମକୁ ଦୃଷ୍ଟିରେ ରଖି ପୂର୍ବ ପ୍ରସ୍ତୁତ ନକ୍ସାରେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ରୁଦ୍ର ନାରାୟଣ ଦାଶ ଏନେଇ ଓଟିଡିସି ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି।
