ପୁଣି ଶହବାଜ ସରିଫଙ୍କ ନାଁ ନେଇ ଭାରତ-ପାକିସ୍ତାନ ଯୁଦ୍ଧ ବିରତିର କ୍ରେଡିଟ ନେଉଛନ୍ତି ଟ୍ରମ୍ପ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶ୍ରେୟ ନେଇଛନ୍ତି । ଶନିବାର ଟ୍ରମ୍ପ କହିଛନ୍ତି, ତାଙ୍କ ହସ୍ତକ୍ଷେପ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀଙ୍କ ମଧ୍ୟରେ ସଂଘର୍ଷକୁ ଟାଳି ଦେଇଛି ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଆମେରିକା ଗୋଟିଏ ବର୍ଷରୁ କମ ସମୟ ମଧ୍ୟରେ ଆଠଟି ଶାନ୍ତି ଚୁକ୍ତିନାମା କରିଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଗାଜାରେ ଯୁଦ୍ଧ ଶେଷ ହୋଇଛି ଏବଂ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ହୋଇଛି, ଯାହାକୁ ପୂର୍ବରୁ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା।
ଟ୍ରମ୍ପ କହିଛନ୍ତି ଯେ ଆମେରିକା ପରମାଣୁ ଶକ୍ତି ସମ୍ପନ୍ନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ କରିଛି। ଗତବର୍ଷ ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ, ଭାରତ ମେ’ ୭ରେ ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ।

ପହଲଗାମ ଆକ୍ରମଣ ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦେବା ପାଇଁ, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଏୟାର ଷ୍ଟାଇକ୍ କରିଥିଲେ। ଏଥିରେ ବାହାବଲପୁର ଓ ମୁରିଦକେରେ ଥିବା ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାର ଶିବିର ଧ୍ବଂସ ହୋଇଯାଇଥିଲା ଭାରତର ଏୟାର ଷ୍ଟ୍ରାଇକ୍ ପରେ, ପାକିସ୍ତାନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେଇଥିଲା, ଯାହା ଫଳରେ ଏକ ମୁହାଁମୁହିଁ ସାମରିକ ସ୍ଥିତି ସୃଷ୍ଟି ହୋଇଥିଲା। ଭାରତ ୧୧ଟି ପାକିସ୍ତାନୀ ବାୟୁସେନା ଘାଟିକୁ ଟାର୍ଗେଟ କରିଥିଲା। ଭାରତୀୟ ଅଧିକାରୀଙ୍କ ଅନୁଯାୟୀ, ମେ’ ୧୦ ତାରିଖରେ, ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ। ସଂଘର୍ଷ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ପରବର୍ତ୍ତୀ ସମୟରେ ଭାରତ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା। ତେବେ ଟ୍ରମ୍ପ ପ୍ରଥମେ ମାର୍ଚ୍ଚ ୧୦ରେ ସୋସିଆଲ ମିଡିଆରେ କହିଥିଲେ ଯେ ଆମେରିକା ଦ୍ୱାରା ମଧ୍ୟସ୍ଥତା ପରେ ଭାରତ ଏବଂ ପାକିସ୍ତାନ ସଂଘର୍ଷ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଭାରତ ସରକାର ନିରନ୍ତର ଭାବରେ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯେକୌଣସି ପ୍ରସଙ୍ଗରେ ତୃତୀୟ ଦେଶର ମଧ୍ୟସ୍ଥତା ଗ୍ରହଣୀୟ ନୁହେଁ। ଭାରତ ପୂର୍ବରୁ ଟ୍ରମ୍ପଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିସାରିଛି।

ଅଧିକ ପଢନ୍ତୁ