ବଢ଼ି ଚାଲିଛି ଯୁବପିଢିଙ୍କ ରିଲ୍ସ ନିଶା । ଗତକାଲି ପୁରୀ ବେଳାଭୂମିରେ ତିନୋଟି ଡଙ୍ଗା ବିପଦପୂର୍ଣ୍ଣ ଭାବେ ବିନା ଲାଇଫ୍ ଜାକେଟରେ କିଛି ଲୋକଙ୍କୁ ନେଇ ଜଳକ୍ରୀଡା କରିବା ପରେ ଏବେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ। ଏଭଳି ବିପଦପୂର୍ଣ୍ନ ଷ୍ଟଣ୍ଟକୁ ବେଆଇନ୍ କହିବା ସହ ଘଟଣାର ତଦନ୍ତ କରାଯାଉଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଡଙ୍ଗା ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଦିବ୍ୟଜୌତି ପରିଡା କହିଛନ୍ତି।ହୋଲି ଅବସରରେ କିଛି ଯୁବକ ପୁରୀ ଗଭୀର ସମୁଦ୍ର ଭିତରେ ଏକ ମୋଟର ଚାଳିତ ଡଙ୍ଗାରେ ବିପଦଜନକ ଷ୍ଟଣ୍ଟ କରୁଥିବାର ଭିଡିଓ ଭାଇରାଲ ହୋଇଛି । ବିନା ଲାଇଫ ଜ୍ୟାକେଟରେ ଗଭୀର ସମୁଦ୍ର ଭିତରେ ଡଙ୍ଗା ଉପରେ କିଛି ଯୁବକ ନୃତ୍ୟ କରୁଛନ୍ତି । କେବଳ ସେତିକି ନୁହେଁ ଡଙ୍ଗାକୁ ସମୁଦ୍ର ଭିତରେ ଚକ୍ରି ଭଳି ଘୁରାଉଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଜନସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।ସାଧାରଣ ଲୋକଙ୍କ କହିବା ଅନୁସାରେ, ଏମାନେ ପେଣ୍ଠକଟା ମତ୍ସ୍ୟଜୀବୀ ସଂପ୍ରଦାୟର ନୋଳିଆ। ପୋଙ୍ଗଲ ଓ ହୋଲି ସମୟରେ ସେମାନେ ମଜା କରିବାକୁ ଏଭଳି ସମୁଦ୍ର ଭିତରକୁ ଯାଆନ୍ତି। ତେବେ ଏହି ଘଟଣାକୁ ଅଗ୍ନିଶମ ବିଭାଗ ବେଆଇନ୍ କହିବା ସହ ତଦନ୍ତ ଆରମ୍ଭ କରିଛି। ଖବର ପ୍ରସାରଣ ପରେ ଆଜି ପ୍ରଶାସନ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ସଂସ୍ଥାକୁ ସୁରକ୍ଷିତ ଜଳକ୍ରୀଡ଼ା ପାଇଁ ଅନୁମତି ଦିଆଯାଇଛି। “ପୁରୀ ସିଫେରାର୍ସ ପ୍ରାଇଭେଟ୍ ଲିମିଟେଡ୍” ପକ୍ଷରୁ ଜେଟସ୍କି, ସ୍ପିଡ୍ ବୋଟ୍ ସହ ଲାଇଫ୍ ଜ୍ୟାକେଟ୍ ଓ ସମୁଦ୍ର ଭିତରେ CCTV ନଜର ରଖିବା ଭଳି ବ୍ୟବସ୍ଥା କରାଯାଇଛି।
ଅଭିଜ୍ଞ ମତ୍ସ୍ୟଜୀବୀ ହୁଅନ୍ତୁ କିମ୍ବା ଉତ୍ସାହୀ ପର୍ଯ୍ୟଟକ ବିନା ଲାଇଫ୍ ସପୋର୍ଟରେ ସମୁଦ୍ର ସହ ଖେଳିବା ଜୀବନ ପ୍ରତି ବିପଦ। ବେଆଇନ ବୋଟିଂ ରୋକିବା ଦିଗରେ ପ୍ରଶାସନର ପଦକ୍ଷେପ କେତେ ଦୂର କାର୍ଯ୍ୟକାରୀ ହେଉଛି, ତାହା ଦେଖିବାକୁ ବାକି ରହିଲା।
