ପୁରୀ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ହେବ ମାନ ଯାଞ୍ଚ । ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ବ୍ୟବହାର ହୁଏ ଘିଅ । ତେବେ ନକଲି ଘିଅରେ ଭୋଗ ପ୍ରସ୍ତୁତ ହେବା ନେଇ କୌଣସି ଅଭିଯୋଗ ଆସି ନାହିଁ । ଖୁବଶୀଘ୍ର ଏହାର ମାନ ଯାଞ୍ଚ ହେବ । ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି। ତେଣୁ ଖୁବ୍ଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ। ଏନେଇ ସୁଆର, ମହାସୁଆର ନିଯୋଗ ସହ ଆଲୋଚନା କରାଯିବ। ଓମ୍ଫେଡ୍ ଓ ଅନ୍ୟ ସଂସ୍ଥା ସହ ମଧ୍ୟ ଆଲୋଚନା କରିବୁ। ଏହାପରେ ମହାପ୍ରସାନ ସହ ଦୀପରେ ବ୍ୟବହୃତ ହେଉଥିବା ଘିଅକୁ ଫୁଡ୍ ସେଫ୍ଟି ଅଫିସରଙ୍କ ଦ୍ୱାରା ଯାଞ୍ଚ କରାଯିବ। ଏବେ ତିରୁପତି ମନ୍ଦିର ପରେ ସବୁ ମନ୍ଦିରରେ ପ୍ରସାଦ ନେଇ ଉଠିଛି ପ୍ରଶ୍ନ । ସୂଚନା ଥାଉକି, ପଶୁ ଚର୍ବି ଓ ତେଲରେ ତିଆରି ହୋଇଛି ତିରୁପତି ମନ୍ଦିର ପ୍ରସାଦ ଲଡୁ । ଅଭିଯୋଗ ଆସିବା ପରେ ରିପୋର୍ଟ ବି ଯାଞ୍ଚ ହୋଇଥିଲା । ଯାହାକୁ ନେଇ ରାଜନୀତି ବି ଜୋରଦାର ହୋଇଛି ।