ଓଡିଶା ପୋଲିସ ଶ୍ରୀମନ୍ଦିର ସୁରକ୍ଷା ପାଇଁ ପୁରୀ ଶ୍ରୀମନ୍ଦିର ଓ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଲଗାଇବାକୁ ଯାଉଛି ଆଣ୍ଟି ଡ୍ରୋନ ପ୍ରଣାଳୀ(Anti Drone System) । ଆଣ୍ଟି ଡ୍ରୋନ ପ୍ରଣାଳୀ କିଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନୋ ଫ୍ଲାଇଂ ଜୋନ କରାଯାଇ କିପରି ଏହା କାର୍ଯ୍ୟକ୍ଷମ କରାଯିବ ଏଥିପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି କହିଛନ୍ତି । ଆଣ୍ଟି ଡ୍ରୋନ ପ୍ରଣାଳୀ କାର୍ଯ୍ୟକ୍ଷମ ହେଲେ ଆଉ ଡ୍ରୋନ ଉଡି ପାରିବନାହିଁ । ଏହି ପ୍ରଣାଳୀର ହାଇଫ୍ରିକ୍ୟୁଏନ୍ସି ଡ୍ରୋନ ଗୁଡିକର ସିଗନାଲ ଅକାମି କରିଦେବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଡ଼କ୍ଟର ସତ୍ୟଜିତ ନାୟକ ।ଆଣ୍ଟି ଡ୍ରୋନ ପ୍ରଣାଳୀର ରେଞ୍ଜରେ ରହିବ ଶ୍ରୀମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳ । ସୁରକ୍ଷା ଉପକରଣ ଯୋଗାଣ କରୁଥିବା ସଂସ୍ଥା ଆଣ୍ଟି ଡ୍ରୋନ ପ୍ରଣାଳୀର ଯୋଗାଣ କରିବାକୁ ଥିବା ବେଳେ ଖୁବ ଶୀଘ୍ର ଏହାର ଟେଣ୍ଡର କରାଯିବ ବୋଲି ସତ୍ୟଜିତ ନାୟକ କହିଛନ୍ତି ।ଗତ ଜୁନରେ ଶ୍ରୀମନ୍ଦିର ଧ୍ବଜା ପରିବର୍ତ୍ତନର ଦୃଶ୍ୟ ଭାଇରାଲ ହୋଇଥିଲା । ଏହି ଭିଡିଓ ଡ୍ରୋନ ଯୋଗେ କଏଦ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା । ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରି ଅନେକ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହା ଉପରେ ରୋକ୍ ଲଗାଇବାକୁ ଦାବି ହୋଇଆସୁଥିଲା ।
