ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହି ଘଟଣା ପରେ ପୋଲିସ ବିରୋଧରେ ନିର୍ଯାତନା ଓ ଅନ୍ୟ ଅପରାଧ ସମ୍ପର୍କିତ ଅଭିଯୋଗ ହେଉଛି। କନ୍ଧମାଳ ପୁଲିସ୍ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆସିଛି। ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଗାଡି ଚଢାଇ ଗୁରୁତର କଲେ ଏବଂ ତାପରେ ରାସ୍ତାରେ ପିଟି ପିଟି ଜୀବନରୁ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଡାଙ୍ଗଣାମ୍ ଘାଟି ରାସ୍ତାରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜ୍ୟେଷ୍ଠଙ୍କ ଘର ବୌଦ୍ଧ ଜିଲା କଣ୍ଟାମାଳ ଥାନା ବେହେରାପଡ଼ା ଗ୍ରାମରେ। ତାଙ୍କ ସ୍ତ୍ରୀ ସୁମନ୍ତିଙ୍କ କହିବାନୁଯାୟୀ, ଜ୍ୟେଷ୍ଠ ଗତ ୨୬ ତାରିଖ ସକାଳ ୭ଟାରେ ତାଙ୍କ ସହଯୋଗୀ ମାର୍ଡୋଲ ଗ୍ରାମର ଦାଶରଥୀ ଦିଗାଲଙ୍କ ସହ ଗୋଚ୍ଛାପଡ଼ା ଯାଉଛୁ ବୋଲି କହି ଘରୁ ଯାଇଥିଲେ। କିଛି ସମୟ ପରେ ସୁମନ୍ତି ଫୋନ କରିବାରୁ ଜ୍ୟେଷ୍ଠ କଣ୍ଟାମାଳରେ ଥିବା ଏବଂ ଗୋଚ୍ଛାପଡ଼ାରେ ପହଞ୍ଚତ୍ଲେ କଥା ହେବେ ବୋଲି କହିଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ପୁଣି ଫୋନ କରିବାରୁ ତାଙ୍କୁ ପୋଲିସ ଧରିଛି କହି ଜ୍ୟେଷ୍ଠ ଫୋନ କାଟି ଦେଇଥିଲେ। ସୁମନ୍ତି ସଙ୍ଗେ ସଙ୍ଗେ କଣ୍ଟାମାଳ ଏବଂ ଘଣ୍ଟାପଡ଼ା ଥାନାକୁ ପଚାରିବାରୁ ସେମାନେ କାହାରିକୁ ଗିରଫ କରି ନ ଥିବା କହିଥିଲେ। ପରେ ସୁମନ୍ତିଙ୍କ ଦିଅରମାନେ ଗୋଚ୍ଛାପଡ଼ା ଥାନାକୁ ପଚାରିବାରୁ ସମାନ ଉତ୍ତର ମିଳିଥିଲା। ସେମାନେ ସନ୍ଧ୍ୟାରେ ଗୋଚ୍ଛାପଡ଼ା ଥାନାକୁ ଯାଇ ପଚାରିବାରୁ କେବଳ ଗାଡ଼ି ଜବତ କରିଛୁ, ଜ୍ୟେଷ୍ଠ ଓ ଦାଶରଥୀ ଫେରାର ହୋଇଗଲେ ବୋଲି ପୋଲିସ କହିଥିଲା। ମାତ୍ର କିଛି ସମୟ ପରେ ଥାନାର ଜଣେ ଏସ୍ଆଇ ଏବଂ ଏଏସ୍ଆଇ ଫୋନ କରି ୩୦ ହଜାର ଟଙ୍କା ଦେଲେ ଜ୍ୟେଷ୍ଠଙ୍କୁ ଛାଡ଼ିଦେବୁ ବୋଲି କହିବାରୁ ଏଥିରେ ସୁମନ୍ତି ଏବଂ ତାଙ୍କ ଦିଅରମାନେ ରାଜି ହୋଇଥିଲେ। ମାତ୍ର ଥାନା ବଡ଼ବାବୁଙ୍କ ସହ କଥା ହେବାକୁ କହି ସେମାନେ ଚୁପ୍ ହୋଇଯାଇଥିଲେ। ଏହାପରେ ସୁମନ୍ତି ଏବଂ ତାଙ୍କର ଦିଅରମାନେ ଦାଶରଥୀଙ୍କୁ ଧରି ପୋଲିସ ଯେଉଁଠି ସେମାନଙ୍କୁ ଧରିଥିଲା ସେଠାକୁ ଯାଇ ଖୋଜିବାରୁ ଜ୍ୟେଷ୍ଠଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସୁମନ୍ତି ଅଭିଯୋଗ କରିଛନ୍ତି ଯେ, ପୋଲିସ ଜ୍ୟେଷ୍ଠ ଓ ଦାଶରଥୀଙ୍କୁ ଅଟକାଇବାକୁ ଗୋଡ଼ାଇଥିଲା। ଏହି ସମୟରେ ଦାଶରଥୀ ଖସି ଯାଇଥିଲେ, କିନ୍ତୁ ପୋଲିସ ତାଙ୍କ ସ୍ବାମୀଙ୍କୁ ମାରି ଫୋପାଡ଼ି ଦେଇଥିବା ସୁମନ୍ତି ଏତଲାରେ ଉଲ୍ଲେଖ କରିଛନ୍ତି।ସେପଟେ ହତ୍ୟାକାଣ୍ଡକୁ ନେଇ ସଲାଗୁଡା ସରପଞ୍ଚ ବି ଆଣିଛନ୍ତି ସଙ୍ଗୀନ ଅଭିଯୋଗ। କହିଛନ୍ତି ମୃତକଙ୍କ ବାଇକ୍ , ଟଙ୍କା ଏବଂ ବହୁ ନିଶା ସାମଗ୍ରୀ ପୁଲିସ୍ ନେଇଯାଇଛି। ଏବଂ ତାଙ୍କୁ ରାସ୍ତାକଡରେ ଫୋପାଡିଦେଇଛି। ଅନ୍ୟପଟେ ପୁଲିସ୍ ବିରୋଧରେ ଆସିଥିବା ଏହି ଅଭିଯୋଗ ଗୁରୁତର ସହକାରେ ନିଆଯାଇଛି। ଜଣେ ଡିଏସପିଙ୍କୁ ନୀରପେକ୍ଷ ତଦନ୍ତ ପାଇଁ କୁହାଯାଇଛି।