ପ୍ରତ୍ୟେକ ଘରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ସମ୍ମୁଖରେ ଦୀପ ଜାଳିଥାଉ। କୁହାଯାଏ ଦୀପ ଜାଳିବା ଦ୍ୱାରା ଇଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଘରେ ସକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଏଥିପାଇଁ ଯେକୌଣସି ପୂଜାବ୍ରତରେ ଆରମ୍ଭରୁ ଦୀପ ଲଗାଯାଇଥାଏ। ତା’ପରେ ପୂଜାପାଠର ଅନ୍ୟ ବିଧି କରାଯାଇଥାଏ। ବିଶ୍ୱାସ କରାଯାଏ ଯେଉଁ ଘରେ ପ୍ରତିଦିନ ପୂଜା କରାଯାଏ ଏବଂ ଭଗବାନଙ୍କ ସାମ୍ନାରେ ଦୀପ ଜଳା ଯାଇଥାଏ ସେହି ଘରେ କେବେ ଦାରିଦ୍ର୍ୟ ଦେଖାଯାଏ ନାହିଁ । ଶ୍ରଦ୍ଧାଳୁମାନେ ଶ୍ରଦ୍ଧା ଓ ଭକ୍ତି ନେଇ ଭଗବାନଙ୍କ ଆରାଧନା କରନ୍ତି । ପୂଜା ସମୟରେ ଦୀପ ଜାଳିବାର ଏକ ପରମ୍ପରା ଅଛି, କିନ୍ତୁ ଏଥିରେ କିଛି ନିୟମ ଏବଂ ବିଧିବିଧାନ ମଧ୍ୟ ଅଛି ।ବାସ୍ତୁଶାସ୍ତ୍ର ଅନୁସାରେ ଭୁଲରେ ଦକ୍ଷିଣ ଦିଗକୁ ମୁହଁ କରି କେବେ ଦୀପ ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଦକ୍ଷିଣ ଦିଗରେ ମୁହଁ କରି ଦୀପ ଲଗାଇଲେ ଘରେ ଆର୍ଥିକ ଶଙ୍କଟ ଦେଖାଯିବା ସହ କଳି ଝଗଡ଼ା ଲାଗି ରହିଥାଏ। ଏହାସହ ଘରର ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। କାହିଁକିନା ଦକ୍ଷିଣ ଦିଗ ହେଉଛି ଯମରାଜଙ୍କ ଦିଗ। ଏହି ଦିଗରେ ଦୀପ ଜାଳିବା ଦ୍ୱାରା ଅଶୁଭ ହୋଇଥାଏ।ଦୀପ ଜାଳିବା ସମୟରେ ଧ୍ୟାନ ଦିଅନ୍ତୁ ଯେ ଦୀପ ଯେପରି ଭାଙ୍ଗି ନଯାଏ । ଅର୍ଥାତ୍ ଏହା କୌଣସି ସ୍ଥାନରୁ ଭାଙ୍ଗିବା ଉଚିତ୍ ନୁହେଁ । ଏହିପରି ଦୀପ ବ୍ୟବହାର କରିବା ଦ୍ୱାରା ନକରାତ୍ମକତା ଆସିଥାଏ ଏବଂ ଆପଣଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ । ଏହା ମଧ୍ୟ ବିଶ୍ୱାସ କରାଯାଏ ଭଙ୍ଗା ଦୀପ ବ୍ୟବହାର କଲେ ମା’ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।
ଦୀପରେ ରଖାଯାଉଥିବା ସଳିତାକୁ ମଧ୍ୟ ସଠିକ୍ ଉପାୟରେ ରଖିବା ଉଚିତ । ବିଶ୍ୱାସ କରାଯାଏ ଯେ ଘିଅ ଦୀପ ଜାଳିବା ସମୟରେ ପୂର୍ଣ୍ଣ ସଳିତା ବ୍ୟବହାର କରିବା ଶୁଭ ହୋଇଥାଏ । ଅନ୍ୟପଟେ ତେଲ ଦୀପ ଜାଳିବାବେଳେ ଅଧିକ ଲମ୍ବର ସଳିତା ବ୍ୟବହାର କରନ୍ତୁ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ଦୀପର ଦିଗ ଭଗବାନଙ୍କ ସାମ୍ନାରେ ରହିବା ଉଚିତ୍ ।ବିଶେଷ ଭାବରେ ପୂଜା କରିବା ସମୟରେ ସବୁବେଳେ ଧ୍ୟାନରେ ରଖିବା ଉଚିତ୍ ଯେ ତେଲ ଦୀପକୁ ସର୍ବଦା ଡାହାଣ ପାର୍ଶ୍ୱରେ ରଖିବେ ଏବଂ ଘିଅ ଦୀପକୁ ସବୁବେଳେ ବାମ ପାର୍ଶ୍ୱରେ ରଖିବା ଉଚିତ। ଏହା ଦ୍ୱାରା ଶୁଭ ହୋଇଥାଏ ।