ଦୁର୍ଗାପୂଜା ବେଳେ ରାଜଧାନୀର ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କ ଲାଗି ବିଏମସି ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି। ମଣ୍ଡପଗୁଡ଼ିରେ ଉତ୍ତମ ପରିଚାଳନା ଓ ପରିବେଶ ସୁରକ୍ଷା ପାଇଁ କିଛି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି ବିଏମସି। ସୂଚନାମୁତାବକ ମୃଣ୍ମୟୀ ମୂର୍ତ୍ତିରେ କେବଳ ପ୍ରାକୃତିକ ରଙ୍ଗ ବ୍ୟବହାର, ପ୍ରସାଦ ସେବନ ପାଇଁ ପ୍ଲାଷ୍ଟିକ ଓ ଥର୍ମୋକୁଲ ବଦଳରେ ପତ୍ର, ଖଲି, ଠୁଙ୍ଗା ଓ ମାଟି ପାତ୍ରର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।ସେହିଭଳି ପୂଜା ମଣ୍ଡପ ପାଖରେ ଡଷ୍ଟବିନ ସୁବିଧା, ବିଜୁଳି ବ୍ୟବସ୍ଥା ସୁରକ୍ଷିତ ଯାଞ୍ଚ ଓ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି। ପୁଲିସର ବିନା ଅନୁମତିରେ ଡାକବାଜି ଯନ୍ତ୍ର ବ୍ୟବହାର ନିଷେଧ ସହ ମୂର୍ତ୍ତିରେ ପ୍ଲାଷ୍ଟିକ ଆଭୂଷଣର ବ୍ୟବହାର ନକରିବାକୁ ନିବେଦନ କରାଯାଇଛି।