ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡ କାଏମ ରଖିଲେ ହାଇକୋର୍ଟ

ରାୟଗଡା,୧।୧୧(ସବ୍ୟୁ)-ପୂର୍ବତ୍ତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ପୁଣି ଝଟକା । ଭୂବନେଶ୍ୱର ତୃତୀୟ ଅତିରିକ୍ତ ଦୌରାଜଜ ଅଦାଲତ ଦେଇଥିବା ଆଜୀବନ କାରାଦଣ୍ଡ ଦଣ୍ଡାଦେଶକୁ କାଏମ ରଖିଛନ୍ତି ହାଇକୋର୍ଟ । ୨୦୨୩ ଜୁନ ୨୭ତାରିଖ ଅତିରିକ୍ତ ଦୌରାଜଜ ଅଦାଲତଙ୍କ ରାୟକୁ ଚାଲେଞ୍ଚ କରି ରାମମୂର୍ତ୍ତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅପିଲକୁ ହାଇକୋର୍ଟ ଖାରଜ କରିବା ସହ ଜାମିନରେ ଥିବା ରାମମୂର୍ତ୍ତୀଙ୍କୁ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାମମୂର୍ତ୍ତି ଗମାଙ୍ଗ ୧୯୯୦ ମସିହା ନିର୍ବାଚନରେ ରାୟଗଡା ଜିଲା ଗୁଣପୁର ଉପଖଣ୍ଡରୁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ୧୯୯୫ ମସିହା ଅଗଷ୍ଟ ୨୯ତାରିଖ ଗଣେଷ ଚତୁର୍ଥୀ ଦିନ ଭୂବନେଶ୍ୱର ଖାରବେଳ ସ୍ଥିତ ଥାନରେ ପହଞ୍ଚି ନିଜେ ରହୁଥିବା ଏମଏଲଏ କୋଲନି କ୍ୱାର୍ଟସର ଗାଧୁଆଘରେ ତାଙ୍କ ସ୍ତ୍ରୀ ଶଶିରେଖାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ସମ୍ପର୍କରେ ଅଭିଯୋଗ ଆଣିଥିଲେ । ପତ୍ନୀ ଶଶୀରେଖା ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ତେବେ ଘଟଣାର ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଲା ଯେ ଏହା ଆତ୍ମହତ୍ୟା ନୁହେଁ ହତ୍ୟାକାଣ୍ଡ । ପରେ ପୁଲିସ ରାମମୂର୍ତ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପ୍ରାୟ ଦୁଇମାସ ଜେଲରେ ରହିବା ପରେ ୧୯୯୫ ମସିହରେ ସେ ଜାମିନ ପାଇ ମୁକୁଳିଥିଲେ । ଭୂବନେଶ୍ୱର ସ୍ଥିତି ସ୍ୱତନ୍ତ୍ର କୋର୍ଟରେ ଏହାର ବିଚାର ଚାଲିଥିଲା । ସମସ୍ତ ସାକ୍ଷୀ ଓ ପ୍ରମାଣ ରାମମୂର୍ତ୍ତିଙ୍କ ବିରୋଧରେ ଯାଇଥିଲା । ପତ୍ନିଙ୍କ ହତ୍ୟା କରିଥିବା ଅଭିଯୋଗରେ କୋର୍ଟ ରାମମୂର୍ତ୍ତିଙ୍କୁ ଆଜୀବନ କାରାଦଣ୍ଡର ରାୟ ଶୁଣାଇଥିଲେ । ଏହି ରାୟକୁ ପ୍ରତିବାଦ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ ହାଇକୋର୍ଟ କାଏମ ରଖିବା ସହ ନିମ୍ନ କୋର୍ଟରେ ଆତ୍ମ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ