କୋଟପାଡର ପୂର୍ବତନ ବିଧାୟକ ସଦନ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ନାୟକ ଜଣେ ଦକ୍ଷ ସଂଗଠକ, ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ କୋରାପୁଟ ଜିଲ୍ଲାରେ ଲୋକପ୍ରିୟତା ଅର୍ଜନ କରିଥିଲେ । ୧୯୯୦ ରୁ ୯୫ ପର୍ଯ୍ୟନ୍ତ କୋଟପାଡର ବିଧାୟକ ଭାବେ ନିର୍ବାଚିତ ହୋଇ ନିର୍ବାଚନ ମଣ୍ଡଳୀର ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଗମନାଗମନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ । ଅଞ୍ଚଳର ବିକାଶ ପାଇଁ ତାଙ୍କ ଯୋଗଦାନ ତାଙ୍କୁ ସବୁଦିନ ପାଇଁ ସ୍ମରଣୀୟ କରି ରଖିବ । ତାଙ୍କ ବିୟୋଗରେ କୋରାପୁଟ ଜିଲ୍ଲା ରାଜନୀତି କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା । ସୂଚନା ଅନୁସାରେ ପୂର୍ବତନ ବିଧାୟକ ସଦନ ନାୟକ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଜଗଦଲପୁର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ନିଜ ବାସଭବନ ଚିତାଗାଁରେ ଶେଷକୃତ୍ୟ ସମ୍ପନ୍ନ ହେବ ।