ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ସରକାରଙ୍କ ନିର୍ଦ୍ଦେଶ

ବିହାରରେ ଏନଡିଏ ସରକାରଙ୍କ ନେତୃତ୍ଵତରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବା ପରେ ଦୁଇଦଶନ୍ଧି ଧରି ସରକାରୀ ବାସଭବନରେ ରହୁଥିବା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀଙ୍କୁ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦିଅ ଯାଇଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲାଲୁ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ ଦୁଇ ଦଶନ୍ଧି ଧରି ପାଟଣାର ସର୍କୁଲାର ରୋଡ ସ୍ଥିତ ୧୦ ନମ୍ବର ସରକାରୀ ବାସଭବନରେ ରହି ଆସୁଥିଲେ । ଗତ ନଭେମ୍ବର ୨୫ରେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନୋଟିସ ଦିଆଯାଇଛି । କୁହାଯାଉଛି ଆରଜେଡି ନେତା ତଥା ଲାଲୁଙ୍କ ପୁଅ ତେଜସ୍ବୀଙ୍କ ଗୋଟିଏ ପୁରୁଣା ଭୂଲ ବର୍ତ୍ତମାନ ଯାଦବ ପରିବାର ପାଇଁ ଅଡୁଆରେ ପକାଇଛି । ୨୦୦୫ରେ ନୀତୀଶ କୁମାର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଜୀବନ ସରକାରୀ ବାସଭବନ ଓ ସୁବିଧାର ବ୍ୟବସ୍ଥା ସୁନିଶ୍ଚିତ କରିଥିଲେ । ଯେଉଁଥିରେ ରାବରୀ ଦେବୀଙ୍କୁ ପଟନା ସର୍କୁଲାର ରୋଡରେ ଏହି ବାସଭବନ ମିଳିଥିଲା । କିନ୍ତୁ ତେଜସ୍ବୀଙ୍କ ଗୋଟିଏ ପିଟିସନ ସବୁ କିଛି ଓଲଟପାଲଟ କରିଦେଇଛି । ୨୦୧୭ରେ ମହାଗଠବନ୍ଧନଠୁ ଅଲଗା ହୋଇ ଏନଡିଏ ସହ ନୂଆ ସରକାର କରିଥଲେ ନୀତୀଶ । ତେଜସ୍ବୀଙ୍କ ହାତରୁ ଉପମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଦେଶରତ୍ନ ମାର୍ଗ ସ୍ଥିତ ବାସଭବନ ଛାଡିବାକୁ କୁହାଯାଇଥିଲା । ବାସଭବନ ମରାମତିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଦର୍ଶାଇ ନୀତିଶଙ୍କ ନିଷ୍ପତ୍ତି ବିରୋଧରେ କୋର୍ଟକୁ ଯାଇଥିଲେ ତେଜସ୍ବୀ । ଶୁଣାଣି କରି କୋର୍ଟ ତେଜସ୍ବୀଙ୍କ ଆବେଦନ ଖାରଜ କରିବା ସହ ଏହି ପୂର୍ବତନ ବ୍ୟବସ୍ଥାକୁ ଅଣସାମ୍ବିଧାନିକ କହି ଉଚ୍ଛେଦ କରିଥିଲେ । ତେଣୁ ବର୍ତ୍ତମାନ ଯାଦବ ପରିବାର ହାତରୁ ଯାଇଛି ଏହି ପୁରୁଣା ସରକାରୀ ବାସଭବନ ।

ଅଧିକ ପଢନ୍ତୁ