ପେଟ୍ରୋଲ୍ ପମ୍ପ୍ରେ ତେଲ ସଙ୍କଟ ଆଶଙ୍କା ଟଳିଲା । ତରବରିଆ ହୋଇ ଆବଶ୍ୟକ ଠାରୁ ଅଧିକ ପେଟ୍ରୋଲ କିଣନ୍ତୁନି ବୋଲି ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ।ଏହା ମଧ୍ୟ କହିଛନ୍ତି ଯେ ପେଟ୍ରୋଲ ମହଜୁଦ ରହିଛି । କାଁ ଭାଁ ଜାଗାରେ ପେଟ୍ରୋଲ ସରିଛି । ଏହା ଏକ ସ୍ୱାଭାବିକ କଥା । ଏବେ ୨୦୦ ଟ୍ୟାଙ୍କର ଆସିଛନ୍ତି । ପେଟ୍ରୋଲକୁ ନେଇ କୌଣସି ସମସ୍ୟା ହେବନି । ସରକାରଙ୍କ ସହ ଆଲୋଚନା ହୋଇଛି । ପୁରା କର୍ଡ଼ନ ଭିତରେ ପେଟ୍ରୋଲକୁ ଆମଦାନୀ କରାଯାଇଛି । ସୂଚନାମୁତାବକ ୬ ଦଫା ଦାବି ନେଇ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି । ସରକାରଙ୍କ ସହ ମହାସଂଘର ମାରାଥନ୍ ବୈଠକ ବିଫଳ ହେଲା ପରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି । ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ରୋକ୍ଠୋକ୍ ଶୁଣାଇ ଦେଇଥିଲା । ଆନ୍ଦୋଳନର ଦ୍ୱିତୀୟ ଦିନରେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଡ୍ରାଇଭର ମହାସଂଘକୁ ଡକାଯାଇ ନଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଯାତ୍ରୀ ଓ ସାମଗ୍ରୀ ପରିବହନ ସଂପୂର୍ଣ୍ଣ ଭାବେ ଠପ୍ ହୋଇ ପଡ଼ିଛି । ତୈଳ ପରିବହନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।
