୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ପାଲେଷ୍ଟାଇନରେ ସକ୍ରିୟ ହମାସ୍ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ୫୦ ହଜାରରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିସାରିଥିବାବେଳେ ପ୍ରାୟ କୋଡିଏ ଲକ୍ଷ ବାସଚ୍ୟୁତ ହୋଇଛନ୍ତି। ବିଦେଶରୁ ଆସୁଥିବା ମାନବୀୟ ସହାୟତାକୁ ମଧ୍ୟ ଇସ୍ରାଏଲ ସେନା ଅବରୋଧ କରୁଥିବାରୁ ଗାଜାରେ ନର୍କ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଭାରତୀୟ ବିସ୍କୁଟ କମ୍ପାନୀ ପାର୍ଲେ ତରଫରୁ ପ୍ରସ୍ତୁତ ୫ ଟଙ୍କିଆ ପାର୍ଲେ-ଜି ପ୍ୟାକେଟ ଗାଜାରେ ୨୪୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି।
କେବଳ ବିସ୍କୁଟ୍ କାହିଁକି, ଅନ୍ୟ ଖାଦ୍ୟ ସାମଗ୍ରୀର ମୂଲ୍ୟ ପ୍ରାୟ ୫୦୦ ଗୁଣ ଅଧିକ ରହିଛି ବୋଲି ଗାଜାରେ ବାସ କରୁଥିବା ଜଣେ ବ୍ୟକ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଚାହିଦା ତୁଳନାରେ ଯୋଗାଣ ଅତ୍ୟନ୍ତ କମ୍ ରହୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଅପରପକ୍ଷରେ ଗାଜାରେ ଚିନି କିଲୋ ପିଛା ୪୯୧୪ ଟଙ୍କାରେ ବିକ୍ରି ହେଉଥିବାବେଳେ ଖାଇବା ତେଲ ଲିଟର ପିଛା ୪୧୭୭ ଟଙ୍କା, ଆଳୁ କିଲୋ ୧୯୬୫ ଟଙ୍କା, ପିଆଜ କିଲୋ ୪୪୨୩ ଟଙ୍କାରେ ବିକ୍ରି ହେଉଛି। ଗୋଟିଏ କପ୍ କଫି ୧୮୦୦ ଟଙ୍କାରେ ମିଳୁଛି।ଏଭଳି ସ୍ଥିତିର ଫାଇଦା ଉଠାଇ ବ୍ୟବସାୟୀମାନେ କଳାବଜାର କରିବା ଆରମ୍ଭ କରିଦେଇଛନ୍ତି।