ଗଞ୍ଜାମ ପୋଡମପେଟା ସମୁଦ୍ରରେ ଓଲଟିଲା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ, ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ଜଣକ ଛତ୍ରପୁର ବ୍ଲକ ନୋଳିଆ ନୁଆଁ ଗାଁର ଏଙ୍ଗ. କାଲେୟା ।ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ । ସୂଚନା ମୁତାବକ, ଗୁରୁବାର ସକାଳ ୪ଟାରେ ଏଙ୍ଗ.କାଳେୟା ସମୁଦ୍ରକୁ ମାଛ ଧରିବା ପାଇଁ ଛତ୍ରପୁର ବ୍ଲକ୍ ସାନ ନୋଳିଆ ନୂଆଗାଁର ୬ ଜଣଙ୍କୁ ସାଙ୍ଗରେ ନେଇ ବାହାରିଥିଲେ । କିନ୍ତୁ ପୋଡମପେଟା ନିକଟ ସମୁଦ୍ରକୁ ପ୍ରବେଶ କରିବା ମାତ୍ରେ କିଛି ସମୟ ମଧ୍ୟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା । ଫଳରେ ୭ ଜଣ ମତ୍ସ୍ୟଜୀବୀ ଡଙ୍ଗାରୁ ଛିଟିକି ପଡ଼ିଥିଲେ । ପରବର୍ତ୍ତୀ ସମୟରେ ୬ ଜଣ ପହଁରି ପହଁରି ଡଙ୍ଗାକୁ ଆସିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ଏଙ୍ଗ. କାଲେୟା ଆଉ ଆସିପାରି ନଥିଲେ ।ସେହିପରି ୨୧ ତାରିଖରେ ମାଛ ଧରିବାକୁ ଯାଇ ସମୁଦ୍ରରେ ଫସି ଯାଇଥିଲେ ୪ ମତ୍ସ୍ୟଜୀବୀ । ଏକ ସପ୍ତାହ ପରେ ସମୁଦ୍ରରୁ ଫେରିଲେ ୪ଜଣ ମତ୍ସ୍ୟଜୀବୀ । ମାଛ ମାରୁଥିବା ସମୟରେ ପ୍ରବଳ ବେଗରେ ପବନ ବୋହିବା ଫଳରେ ବୋଟଟି ଓଲଟି ପଡିଥିଲା । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡ଼ାମଣି ପଂଚାୟତରେ ।
