ପୋଲିସ ବାବୁଙ୍କ ନାଁ’ରେ ଥାନାରେ ଏତଲା ପତ୍ନୀ

ପୋଲିସ୍ ସବ୍-ଇନ୍ସପେକ୍ଟରଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣିଛନ୍ତି ପତ୍ନୀ। କନ୍ଧମାଳ ଜିଲା ଅନ୍ତର୍ଗତ କୋଟଗଡ଼ ପୋଲିସ ଷ୍ଟେସନ ବାରାକ ପରିସରରେ ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୁର୍ତରେ ନିଜ ସ୍ୱାମୀଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛନ୍ତି।କୋଟଗଡ଼ ଥାନା ସୁବର୍ଣ୍ଣଗିରି ଫାଣ୍ଡି ଅଧିକାରୀ ହେଉଛନ୍ତି କୁବେର ଦିଗାଳ। ସେ ବିବାହିତ। ତାଙ୍କର ପତ୍ନୀ ଓ ପିଲାପିଲି ରହିଛନ୍ତି। ପୂରା ପରିବାର ଗାଁରେ ରହୁଥିବା ବେଳେ ଥାନାବାବୁ କୋଟଗଡ଼ ଥାନା ବାରାକର ଉପର ମହଲାରେ ରହୁଥିଲେ। ଅଭିଯୋଗ ହେଉଛି, ପୂରା ପରିବାର ଥିବା ସତ୍ତ୍ୱେ ରସିକିଆ ଥାନାବାବୁ କୁଆଡ଼େ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ଯେଉଁଥିପାଇଁ ପତ୍ନୀ ଓ ପରିବାର ଲୋକଙ୍କୁ ନାନା ନିର୍ଯାତନା ଦେଉଥିଲେ।

ଅନେକ ସମୟରେ ମାଡ଼ ମାରୁଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ପିଲାଙ୍କ ପାଇଁ ସବୁ ସହି ଯାଉଥିଲେ ପ୍ରାଣପ୍ରିୟା। ହେଲେ ନିର୍ଯାତନାର କାରଣ ଜାଣିପାରୁନଥିଲେ କୁବେରଙ୍କ ପତ୍ନୀ। ତେବେ ନିଜେ ଯାଇଁ ସନ୍ଧାନ କରିବାରୁ ଘର ଭିତରେ ଥିବା ଯୁବତୀ କିଏ ବୋଲି ପଚାରିବାରୁ କୁବେର ବାବୁ ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ଏପରିକି ଛୁରୀରେ ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲେ। ଯେଉଁଥିପାଇଁ ଜୀବନ ବିକଳରେ କୁବେରଙ୍କ ପତ୍ନୀ ଓ ପରିବାର ଲୋକ ଦୌଡ଼ି ପଳାଇ ଯାଇଥିଲେ।
ସେପଟେ, ଅଭିଯୋଗ ଆଧାରରେ କୋଟଗଡ ପୋଲିସ ତଦନ୍ତ ଆରମ୍ଭ କରିଛି କିନ୍ତୁ ଅଧିକ ବିବରଣୀ ଦେଇନାହିଁ। ଏତଦ୍ ବ୍ୟତୀତ ଏସଆଇ କୁବେର ଡିଗଲ ଏହି ଅଭିଯୋଗ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

ଅଧିକ ପଢନ୍ତୁ

Odisha Darpan Digital