ପୋଲିସ ଭବନରେ ଦିନିକିଆ କର୍ମଶାଳା-ସମୁଦ୍ର ପଥ ଦେଇ ମାଡ଼ି ଆସୁଛନ୍ତି ଅନୁପ୍ରବେଶକାରୀ: ଡିଜିପି

ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ଓ କାର୍ଯ୍ୟକୁଶଳତା ବୃଦ୍ଧି କରିବା, ରେଳବାଇ ଓ ଉପକୂଳ ସୁରକ୍ଷା ବିଷୟରେ ସଚେତନତା ଓ ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନର ଭୂମିକା, ସାଇବର ଅପରାଧ, ଆଧୁନିକ ପ୍ରଣାଳୀରେ ତଦନ୍ତ, ଜାତୀୟ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ୍ ଭଳି ବିଭିନ୍ନ ଆଇନଗତ ଦିଗ ଉପରେ ସବିଶେଷ ଆଲୋଚନା କରାଯାଇଛି। ତେବେ ସମୁଦ୍ର ପଥ ଦେଇ ବାଂଲାଦେଶୀ ମାଡ଼ି ଆସୁଛନ୍ତି । କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଅନ୍ୟ ଉପକୂଳ ଜିଲ୍ଲା ଦେଇ ରାଜ୍ୟରେ ପଶୁଛନ୍ତି। ଓଡ଼ିଶାରେ ଲୁଚି ରହି ନାନା ଅପରାଧରେ ଲିପ୍ତ ରହୁଛନ୍ତି । ଆଇନ ଶୃଙ୍ଖଳା ବିଗାଡୁଛନ୍ତି । ଏହି ଅନୁପ୍ରବେଶକାରୀଙ୍କୁ ରୋକିବାକୁ ସମୁଦ୍ର ତଟ ବାହିନୀ ଅକ୍ଷମ । ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଜଳ ପଥରେ ପାଟ୍ରୋଲିଂ ଅଭାବରୁ ଅନୁପ୍ରବେଶକାରୀଙ୍କ ସାହସ ବଢ଼ିଚାଲିଛି ବୋଲି କହିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ। ରାଜ୍ୟ ସରକାର ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ୧୪୯.୯୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଗତ ବର୍ଷ ଉପକୂଳ ସୁରକ୍ଷା ନିମନ୍ତେ ୧୦ଟି ଆଧୁନିକ ଡ୍ରୋନ୍, ୩ଟି ଟ୍ରଲର୍ ଓ ୧୪୦ ଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଖୁବ ଶୀଘ୍ର ରିୟଲ୍-ଟାଇମ୍ ସର୍ଭେଲାନ୍ସ ପାଇଁ ଏକ ଆଧୁନିକ କମାଣ୍ଡ ଓ କଣ୍ଟ୍ରୋଲ୍ ସେଣ୍ଟର ଗଢ଼ାଯିବ । ୩୨ଟି ମାଛ ଧରା ବନ୍ଦର ଓ ଫିସିଂ ହାର୍ବର୍‌କୁ CCTV ସିଷ୍ଟମ୍‌ରେ ଆବୃତ କରିବା ପାଇଁ କାମ ଚାଲିଛି । ନୂଆ ନୌକା ମଧ୍ୟ କିଣାଯିବ ।

ଅଧିକ ପଢନ୍ତୁ