ପ୍ରତାପ ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ପ୍ରତାପ ପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା।  ବାର୍ଷିକ ଉତ୍ସବ ଆୟୋଜନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ପରିସ୍ଫୁଟନ ହୋଇଥାଏ। ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବାଦ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିବା ସହିତ ପ୍ରତିବର୍ଷ ବାର୍ଷିକ ଉତ୍ସବ ପାଳନ କରାଯିବା ଆବଶ୍ୟକ ବୋଲି କହିଥିଲେ। ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।  ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତପସ୍ୱିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପରିଚାଳନା କମିଟି ସଭାପତି ତଥା ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଦାସ,ଶୁଭଶ୍ରୀ ଜଗଦେବ, ସରୋଜିନୀ ଦାସ, ମଞ୍ଜୁଲତା ଦେଇ ପ୍ରମୁଖ ଯୋଗ ଦେଇଥିଲେ। ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ,ପରିଚାଳନା କମିଟିର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ମାନେ ଯୋଗଦାନ କରିଥିଲେ।

ଅଧିକ ପଢନ୍ତୁ