ଏବେ ଗାଁ ଗଣ୍ଡାରେ ରହୁଥିବା ଦିବ୍ୟାଙ୍ଗମାନେ କାମ କରିପାରିବେ । ଦିବ୍ୟାଙ୍ଗଙ୍କୁ ସୁହାଇଲା ଭଳି ଅନୁକୂଳ କାମ ପଞ୍ଚାୟତ ପକ୍ଷରୁ ବ୍ୟବସ୍ଥା କରାଯିବ । ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗାରେ ମିଳିବ ଭିନ୍ନକ୍ଷମଙ୍କ ସ୍ବାର୍ଥକୁ ଅଗ୍ରାଧିକାର । ଦିବ୍ୟାଙ୍ଗଙ୍କୁ ଘର ପାଖରେ କାମ ସହ ଯୋଗାଇ ଦିଆଯିବ ଜବକାର୍ଡ । ମହିଳା ଦିବ୍ୟାଙ୍ଗଙ୍କ ପିଲାଙ୍କ ଦେଖାରଖା ପାଇଁ କରାଯିବ କ୍ରେଚ ସୁବିଧା । ଜଣେ ଦିବ୍ୟାଙ୍ଗ ମହିଳା ରହି ନେବେ ପିଲାମାନଙ୍କ ଯତ୍ନ । ପ୍ରତି ଗାଁରେ ଗଠନ ହେବ ‘ଦିବ୍ୟାଙ୍ଗ ଶକ୍ତି ଗ୍ରୁପ’ । ଯେତିକି ଦିବ୍ୟାଙ୍ଗ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ତାଙ୍କୁ ନେଇ ଗଠନ ହେବ ଏହି ଗ୍ରୁପ । ଜୁନ ମାସ ସୁଦ୍ଧା ଗ୍ରୁପ ଗଠନ ହେବ । ଜଣକ ବଦଳରେ ଦିବ୍ୟାଙ୍ଗ ଗ୍ରୁପ ଚାହିଁଲେ ମିଳିତ ଭାବେ କାମ କରିପାରିବେ । ଜିଲ୍ଲାପାଳମାନେ ଏହାକୁ ଅଗ୍ରାଧିକାର ଦେଇ ଏ ସଂପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେବେ ଗ୍ରୁପ ଜରିଆରେ ସେମାନଙ୍କ ଭଲମନ୍ଦ ସଂପର୍କରେ ପଞ୍ଚାୟତ ଓ ବ୍ଳକ ଅଧିକାରୀ ଅବଗତ ହେବେ । ଅଧିକରୁ ଅଧିକ ଦିବ୍ୟାଙ୍ଗଙ୍କୁ ମନରେଗାରେ ସାମିଲ କରିବାକୁ ପଞ୍ଚାୟତ ପକ୍ଷରୁ ସ୍ୱତନ୍ତ୍ର ଶିବିର ସହ ସଚେତନ କରାଯିବ । ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶସ୍ତ୍ରୀକରଣ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।
