ପ୍ରତି ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା

ପାର୍ବଣରେ ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା । ସମସ୍ତ ପୂଜା କମିଟିଙ୍କୁ ଅନୁରୋଧ କରାଯିବ । । ପାର୍ବଣ ସଂପର୍କିତ ସମନ୍ୱୟ ବୈଠକରେ ପୂଜା କମିଟି ମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ସମସ୍ତ ଜିଲ୍ଲାପାଳ, ଏସପିଙ୍କ ସମେତ କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ଚିଠି ଲେଖିଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର ।ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ପାର୍ବଣ ସମୟରେ ବିଭିନ୍ନ ପୂଜା ମଣ୍ଡପରେ ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେଣୁ ଏହି ସମୟରେ ଅନେକ ଲୋକଙ୍କ ପାଖରେ ସଡ଼କ ସୁରକ୍ଷା ବାର୍ତ୍ତା ପହଞ୍ଚାଯାଇପାରିବ । ଏହାକୁ ଦୃଷ୍ଟିରେ ରଖି ପୂଜା କମିଟି ମାନଙ୍କୁ ସଡ଼କ ସୁରକ୍ଷା ବାର୍ତ୍ତା ପ୍ରସାର ପାଇଁ ଅନୁରୋଧ କରାଯାଇ ପାରିବ ।ଏହି ଅଭିଯାନ ଜରିଆରେ ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷିତ ଯାତ୍ରା ପାଇଁ ନିୟମ ପାଳନର ଗୁରୁତ୍ୱ ସଂପର୍କରେ ବାର୍ତ୍ତା ପ୍ରଦର୍ଶିତ ହେବ । ପୂଜା କମିଟି ମାନେ ବିଭିନ୍ନ ଉପାୟରେ ଏହି ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇପାରିବେ । ସେହିଭଳି ଏହି ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଦର୍ଶକଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ଅନୁରୋଧ କରାଯାଇପାରିବ । ପାର୍ବଣ ସଂପର୍କିତ ସମନ୍ୱୟ ବୈଠକରେ ଏହି ବିଷୟରେ ଆଲୋଚନା କରିବାକୁ କୁହାଯାଇଛି ।

ଅଧିକ ପଢନ୍ତୁ