ଭୁବନେଶ୍ବର,(ଓଡିଶା ଦର୍ପଣ): ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ସେ ଓଡିଶାର ବିକାଶ ପ୍ରସଂଗରେ ଆଲୋଚନା କରିଛନ୍ତି। ଏଥିସହିତ ବିଭିନ୍ନ ପ୍ରସଂଗରେ ସେ ପ୍ରଧାନମନ୍ତ୍ରୀଙ୍କ ଉପଦେଶକୁ ମଧ୍ୟ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜର ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ। ତେବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କାରଣ ବର୍ତ୍ତମାନ ରାଜ୍ୟ ବିଜେପିର ଦିଲ୍ଲୀ ଗସ୍ତ ରାଜନୀତି ଚାଲିଛି। ଦିନେ ରାଜ୍ୟ ନେତୃବର୍ଗ ରାଷ୍ଟ୍ରୀୟ ସଭାପତିଙ୍କୁ ସାକ୍ଷାତ କରିଥିବା ବେଳେ, ଆଉଦିନେ ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏପରି ପରିସ୍ଥିତିରେ ଅପରାଜିତା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବିଜେପି ରାଜନୀତିରେ ଏକ ନୂଆ ମୋଡ ସୃଷ୍ଟି ହୋଇଛି। ଏହାପରେ ପୁଣି ବିଧାୟକ ଦଳ ଏକାଠି ହୋଇ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଲା। ସେମାନେ ମଧ୍ୟ ସିଧା ଅପରାଜିତାଙ୍କ ବିରୋଧରେ କହିବାକୁ ପଛେଇଲେ ନାହିଁ। ଅପରାଜିତାଙ୍କ କହିଥିବା ରାଜ୍ୟ ନେତୃତ୍ବ ଦୁର୍ବଳ ବୋଲି କଥାକୁ ସେମାନେ ବିରୋଧ କରିଥିଲେ। ଏ ସବୁ ଘଣ୍ଟାଚକଟା ଭିତରେ ଅପରାଜିତା ସିଧା ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଅନେକ ବିଜେପି ନେତା ଏହି ଭେଟଘାଟକୁ ନେଇ ଛାନିଆ ମଧ୍ୟ ହୋଇପଡିଛନ୍ତି।