ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କନିକାପଡ଼ାର ଚାଞ୍ଚଲ୍ୟକର ଘଟଣା । ପ୍ରେମ ପାଇଁ ପରିବାରକୁ ବିଷ ପିଆଇ ଦେଲା ନୃଶଂସ ଝିଅ। ପରିବାରର ଏକ ଶିଶୁ କନ୍ୟା ସହ ୬ ଗୁରୁତର ମେଡିକାଲରେ ଭର୍ତ୍ତି । ମଙ୍ଗଳପୁର ଥାନା କନିକାପଡ଼ା ଗ୍ରାମରେ ଜଣେ ବିବାହିତା ଝିଅ ତାଙ୍କ ବାପଘର ଲୋକଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଛନ୍ତି। ବିଷମିଶା ଖାଦ୍ୟ ଖାଇ ପରିବାରର ୬ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇନାହିଁ। ଅନ୍ୟପକ୍ଷରେ ପାରିବାରିକ କଳହ ନେଇ ୨ ଦିନ ପୂର୍ବରୁ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା।ସୂଚନା ଅନୁଯାୟୀ, ଗତ ୬ ମାସ ତଳେ କନିକାପଡ଼ାର ଉମାକାନ୍ତ ଓଝାଙ୍କ ଝିଅର ବିବାହ ଠିକ୍ ହୋଇଥିଲା । ହେଲେ ସେ ସୁକିନ୍ଦା ଥାନା ମଂଗଳପୁର ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରି ଘରୁ ଲୁଚି ପଳାଇ ବିବାହ କରିଥିଲେ । ଘର ଛାଡି ଯିବା ସମୟରେ ଘରୁ ସୁନା, ଟଙ୍କା ଆଦି ଜିନିଷ ସାଥିରେ ନେଇଯାଇଥିଲେ । ଏହାକୁ ପରିବାର ଲୋକ ବିରୋଧ କରିଥିଲେ । ମାତ୍ର ଉମାକାନ୍ତଙ୍କ ଅନ୍ୟ ସମ୍ପର୍କୀୟ ଭାଇମାନେ ଆଣି ଝିଅ ଜ୍ୱାଇଙ୍କୁ ସେମାନଙ୍କ ପାଖରେ ରଖିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ୨ ଦିନ ତଳେ କଳହ ସହିତ ମାରପିଟ ହୋଇ ମଂଗଳପୁର ଥାନାରେ ୨ଟି ଭିନ୍ନ ଭିନ୍ନ ଅଭିଯୋଗ ହୋଇଥିଲା । ବିବାହିତ ଝିଅ ଜଣଙ୍କ ବିଭିନ୍ନ ସମୟରେ ପରିବାର ଲୋକଙ୍କୁ ଜୀବନରୁ ହତ୍ୟା କରିବାକୁ ଧମକ ଦେଉଥିଲା ।
ଗତକାଲି ରୋଷେଇ ସମୟରେ ବିବାହିତ ଝିଅ ଜଣଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ । ଯାହାକୁ ଖାଇ ପରିବାରର ୬ଜଣ ସଦସ୍ୟ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।