ଫେବ୍ରୁଆରି ୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା । ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର | ହବ୍ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ସମସ୍ତ ହବ୍ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।୧୪ଟି ରୁଟରେ ଯିବ ପ୍ରଶ୍ନପତ୍ର। ଏଥିପାଇଁ ବନ୍ଧୁକଧାରୀ ପୋଲିସ ମୁତୟନ ହେବେ । ଦୁଇ ଦିନରେ ୨୭ଟି ରୁଟରେ ପ୍ରଶ୍ନପତ୍ର ପଠାଯିବ ।
ଚଳିତ ବର୍ଷ ୨୧୧ଟି ପରୀକ୍ଷା ପରିଚାଳନା ହବ୍ କରାଯାଇଛି । ଯୁକ୍ତ ୨ରେ ୧୩୫୭ଟି ପରୀକ୍ଷା କେନ୍ଦ୍ରରେ ୪ଲକ୍ଷ ୧ହଜାର ୬୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।ଯେଉଁଠାରେ ଅଧ୍ୟକ୍ଷ ଦାୟିତ୍ବରେ ନାହାନ୍ତି, ସେଠାରେ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକଙ୍କୁ ସୁପରଭାଇଜର ଦାୟିତ୍ବରେ ରଖାଯାଇଛି। ସୁପରଭାଇଜରଙ୍କ ବ୍ୟତୀତ ଇଏମ୍ଏଚ୍ରେ ଡେପୁଟି ସୁପରଭାଇଜର, ଇଏମ୍ଏଚ୍ ସହାୟକ, ଜଣେ ଲେଖାଏଁ ଅଧିକାରୀ ଓ ନାଇଟ୍ ୱାଚ୍ମ୍ୟାନ୍ ହବ୍ ଦାୟିତ୍ବରେ ରହିଛନ୍ତି। ଷ୍ଟ୍ରଙ୍ଗ୍ରୁମ୍ରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସହ ପୁଲିସ ପହରା ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ର ଗ୍ରହଣ କରିବା ଦିନଠାରୁ ହିଁ ହବ୍ଗୁଡ଼ିକ କାର୍ଯ୍ୟକ୍ଷମ ହେବ। କୌଣସି ବି ପରିସ୍ଥିତିରେ ହବ୍ ସୁପରଭାଇଜର କିମ୍ବା ଡେପୁଟି ସୁପରଭାଇଜର ଷ୍ଟ୍ରଙ୍ଗ୍ରୁମ୍କୁ ଏକା ଖୋଲି ପ୍ରବେଶ କରିପାରିବେ ନାହିଁ। ପରୀକ୍ଷା ଦିନ ସକାଳ ୮ଟା ୩୦ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ପହଞ୍ଚିବ ସେଦିଗରେ ହବ୍ ସୁପରଭାଇଜର ଗୁରୁତ୍ବ ଦେବେ । ରାତ୍ରିକାଳୀନ ପାଟ୍ରୋଲିଂ ଉପରେ ପୋଲିସକୁ ଗୁରୁତ୍ବ ଦେବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଆଇ ନଜରରେ ରହିବ ପ୍ରଶ୍ନପତ୍ର।
