ପଶ୍ଚିମବଙ୍ଗ ବଙ୍ଗୋପସାଗର ଉପକୂଳରୁ ମିଳିଛି ଦୁଇଟି ନୂଆ ପ୍ରଜାତି ସାମୁଦ୍ରିକ କୀଟ । ଏହି ନୂଆ ପ୍ରଜାତିଗୁଡ଼ିକୁ ନାମାଲୟୀକାଷ୍ଟିସ ଶୋଲେନୋଟୋଗ୍ନାଥା (Namalycastis solenotognatha) ଏବଂ ନେରେଇସ ଧ୍ରୀତିଏଇ (Nereis dhritiae) ଭାବେ ନାମକରଣ କରାଯାଇଛି । ନେରିଇଡିଡ୍ସ ଶ୍ରେଣୀର ଏହି ଦୁଇଟି ସମୁଦ୍ର କୀଟକୁ ପରୀକ୍ଷାଗାରରେ ଗବେଷଣା ପରେ ଏଭଳି ପ୍ରଜାତିକୁ ଆବିଷ୍କାର କରାଯାଇଥିବା ନେଇ ସ୍ପଷ୍ଟ କରିଛି ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣର କେନ୍ଦ୍ର ।ଏହି ଗବେଷଣା ସମ୍ପର୍କିତ ତଥ୍ୟ “Description of two new species of nereidids (Annelida: Nereididae) from West Bengal, India, Bay of Bengal” ଜୁ’ ଟାକ୍ସା (Zootaxa) ନାମକ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶ ତ ହୋଇଛି । Namalycastis solenotognatha ପ୍ରଜାତିର ନାମକରଣ ଗ୍ରୀକ୍ ଶବ୍ଦ solenotos (ଯାହାର ଅର୍ଥ କଳା ଦାଗ ) ଓ gnatha (ଦାନ୍ତ) ର ସମ୍ମିଳନ ଉପରେ ଆଧାରିତ । ଯାହା ଏହି ପ୍ରଜାତିର ଦାନ୍ତରେ ପଲ୍ପ ଗୁହାରୁ ବହୁ କ୍ୟାନାଲ୍ ବିସ୍ତାରିତ ରହିଥିବା ଗବେଷଣା ସମୟରେ ଜଣାପଡିଛି । ମୁଖ୍ୟତଃ ଏହି ପ୍ରଜାତି ଅତ୍ୟଧିକ ଖୋଲା ମାଟିଆଳ ଜଳାଭୂମି, ଦୂଷଣ ସହିଷ୍ଣୁ, ସଲଫାଇଡ୍ ସମୃଦ୍ଧ ଅଞ୍ଚଳ, ଦୁର୍ଗନ୍ଧମୟ ଓ ଜୈବିକ ଦ୍ରବ୍ୟରେ ପୁଷ୍ଟ ତଳସ୍ଥ ସାମଗ୍ରୀରେ ମିଳିଥାଏ । ଏହା ସହ ଗଡ଼ିଯାଇଥିବା ହେନ୍ତାଳ ବଣ, ଓ କଠିନ ମାଟି ସହିତ ମଧ୍ୟ ଏହି ପ୍ରଜାତି ସମ୍ପୃକ୍ତ ରହିଛି ।ଏହି ପ୍ରଜାତି ପରିବେଶ ଜୀବ ସୂଚକ (bioindicator) ଭାବେ ଓ ସଂରକ୍ଷଣ ଉଦ୍ଦେଶ୍ୟରେ ଉପଯୋଗୀ ହୋଇପାରେ । ଯଦିଓ ଏହି ଦିଗରେ ଆହୁରି ଅଧ୍ୟୟନ ଓ ଗବେଷଣାର ଆବଶ୍ୟକତା ରହିଥିବା କୁହାଯାଇଛି ।
