ଗୁଜୁରାଟର ଭଦୋଦରା ଜିଲାରୁ ଏକ ଚିନ୍ତାଜନକ ଏବଂ ଦୁଃଖଦ ଖବର ଆସିଛି। ବୁଧବାର ସକାଳେ ଭଦୋଦରା ଏବଂ ଆନନ୍ଦ ଜିଲାକୁ ସଂଯୋଗ କରୁଥିବା ଗମ୍ଭୀରା ସେତୁ ହଠାତ ନଦୀରେ ଭୁଶୁଡ଼ି ପଡ଼ିଲା। ତେବେ ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଖବର ପାଇବା ମାତ୍ରେ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ପୋଲ ଦୁଇ ଫାଳ ହେବା ସମୟରେ ଅନେକ ଗାଡି ସେହି ସମୟରେ ଯାତାୟତ କରୁଥିଲା । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ପୋଲର ଗୋଟିଏ ପଟରେ ଟ୍ରକ ଫସି ରହିଥିବା ଦେଖାଯାଉଛି । ବିଶେଷଜ୍ଞଙ୍କ ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ସେତୁ ଭୁଶୁଡ଼ିବା ସମୟରେ ପ୍ରାୟ ୫ଟି ବାହନ ସେତୁରେ ଉପରେ ଥିଲା। ହଠାତ ପୋଲ ଭୁଶୁଡ଼ି ପଡ଼ିବା ଯୋଗୁ ଏହି ସମସ୍ତ ଯାନବାହନ ସିଧାସଳଖ ନଦୀରେ ଖସି ପଡ଼ିଲା। ଗମ୍ଭୀରା ସେତୁ ଭୁଶୁଡ଼ି ପଡ଼ିବାର ସବୁଠାରୁ ବଡ଼ ପ୍ରଭାବ ଭଦୋଦରା ଏବଂ ଆନନ୍ଦ ମଧ୍ୟରେ ଯାତାୟାତ ଉପରେ ପଡ଼ିଛି। ଏହି ସେତୁ ଏହି ଦୁଇ ଜିଲା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗକାରୀ ରାସ୍ତା ଥିଲା। ଏବେ, ସେତୁ ନ ଥିବାରୁ, ଲୋକଙ୍କୁ ପ୍ରାୟ ୪୦ କିଲୋମିଟର ଅତିରିକ୍ତ ରାସ୍ତା ବଦଳାଇ ବିକଳ୍ପ ରାସ୍ତା ନେବାକୁ ପଡିବ। ସେତୁ ଭୁଶୁଡ଼ିବା ପରେ, ପୋଲିସ ତୁରନ୍ତ ଯାତାୟାତକୁ ସ୍ଥାନାନ୍ତରିତ କରିଥିଲା, କିନ୍ତୁ ଉଭୟ ପାର୍ଶ୍ୱରେ ଯାନବାହନର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି, ଯାହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
