ଓଡ଼ିଶାରେ ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ। ଏଥିପାଇଁ ତହସିଲ, ବ୍ଲକ୍ ଓ ଥାନା ସ୍ତରରେ ସରକାରୀ ଅଧିକାରୀଙ୍କୁ ନେଇ କମିଟି ଗଠନ ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ରାଜ୍ୟ ସରକାର। ୨୦୨୧ ମସିହାରେ ଓଡ଼ିଶାରେ ସରକାରୀ ଭାବେ ଚିହ୍ନଟ ହୋଇଥିଲେ ୩ ହଜାର ୭୪୦ ବାଂଲାଦେଶୀ ଅନୁପ୍ରବେଶକାରୀ। ସେମାନେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ମାଲକାନଗିରି, ନବରଙ୍ଗପୁର ଓ ବରଗଡ଼ ଜିଲ୍ଲା, ଏପରିକି ରାଜଧାନୀ ଭୁବନେଶ୍ୱରରେ ରହୁଥିଲେ। ବାଂଲାଦେଶରୁ ମାତ୍ର ୨୦୦ କିଲୋମିଟର ଦୂରରେ ରହିଛି ଓଡ଼ିଶାର ବିସ୍ତୀର୍ଣ୍ଣ ୪୮୦ କିଲୋମିଟର ସମୁଦ୍ର ତଟ। ଛୋଟିଆ ଡଙ୍ଗାରେ ବି ଏହାକୁ ଅଳ୍ପ କିଛି ଘଣ୍ଟାରେ ପାରି କରିହେଉଥିବାରୁ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଦଶନ୍ଧି ଦଶନ୍ଧି ଧରି ପଶ୍ଚିମବଙ୍ଗ ପରେ ଓଡ଼ିଶା ବନିଆସିଛି ସଫ୍ଟ ଟାର୍ଗେଟ୍।