ବଢିଲା ଭାରତ- ପାକ୍ କ୍ରିକେଟ ବିବାଦ। ଟି-ଟ୍ବେଣ୍ଟି ବିଶ୍ବକପ ଖେଳିବ କିନ୍ତୁ ଭାରତ ବିପକ୍ଷ ମ୍ୟାଚକୁ ନା। ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପରେ ଖେଳିବାକୁ ପିସିବିର ପ୍ରସ୍ତାବକୁ ଅନୁମୋଦନ କରିଛି ପାକିସ୍ତାନ ସରକାର। କିନ୍ତୁ ଫେବୃଆରୀ ୧୫ରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ଏନେଇ ଗଭର୍ଣ୍ଣମେଣ୍ଟ ଅଫ ପାକିସ୍ତାନ ପକ୍ଷରୁ ଏକ୍ସ ହ୍ୟାଣ୍ଡଲରେ ସ୍ପଷ୍ଟ କରାଯାଇଛି।ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପାକିସ୍ତାନର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି। T20 ବିଶ୍ୱକପରେ ପାକିସ୍ତାନ ଭାରତ ବିପକ୍ଷରେ ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ମନା କରିଦେଇଛି। ICC ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରିଛି ଏବଂ କହିଛି ଯେ, ଆମେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଠାରୁ ସରକାରୀ ଯୋଗାଯୋଗକୁ ଅପେକ୍ଷା କରିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଫେବୃଆରୀ ୧୫ରେ କଲମ୍ବୋରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।ପାକିସ୍ତାନର ନିଷ୍ପତ୍ତି ସମ୍ପର୍କରେ, BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି, ICC ଏହି ପ୍ରସଙ୍ଗରେ ଏକ ଦୃଢ଼ ବିବୃତ୍ତି ଜାରି କରିଛି। ସେମାନେ ଖେଳ ଭାବନା ଉପରେ ଆଲୋଚନା କରିଛନ୍ତି ଏବଂ ଆମେ ଏହି ପ୍ରସଙ୍ଗରେ ICC ସହିତ ସମ୍ପୂର୍ଣ୍ଣ ସହମତ। ଆମେ ICC ସହିତ କଥା ନ ହେବା ପର୍ଯ୍ୟନ୍ତ BCCI ଏହି ବିଷୟରେ କୌଣସି ମତାମତ ଦେବ ନାହିଁ। ତେବେ ଆସନ୍ତା ୧୫ ତାରିଖରେ ଭାରତୀୟ ଦଳ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଉପସ୍ଥିତ ରହିବ। ଏହା ସହିତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ପାଇଁ ପଡ଼ିଆରେ ଉପସ୍ଥିତ ରହିବେ ଓ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗାଙ୍କୁ ଅପେକ୍ଷା କରିବେ। ଯଦି ସଲମାନ ଟସ୍ ପାଇଁ ଆସନ୍ତି ନାହିଁ ତେବେ ମ୍ୟାଚ୍ ରଦ୍ଦ ହେଲା ବୋଲି ଘୋଷଣା କରାଯିବ ଓ ଭାରତକୁ ଓ୍ବାକ-ଓଭର ପ୍ରଦାନ କରାଯିବା ସହ ୨ ଅଙ୍କ ପ୍ରଦାନ କରାଯିବ।
