ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗ୍ରାମରେ ଥିବା ଏକ ବନ୍ଦ କୋଠରୀରୁ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ଗୁନେଇବିଲି ଗାଁର ପ୍ରଭାତୀ ଦେହୁରୀ। ସୂଚନା ଅନୁସାରେ ପ୍ରଭାତୀ ସବୁଦିନ ପରି ରାତିରେ ଖାଇପିଇ ସାରି ଘରେ ନିଜ ପୁଅ, ଝିଅ ଓ ଶ୍ୱଶୁର ଓ ଜଣେ ଦିବ୍ୟାଙ୍ଗ ଦିଅରଙ୍କ ସହ ଘରେ ଶୋଇଥିଲେ । ସକାଳୁ ଡ୍ରାଇଭର ଘରକୁ ଆସି ପ୍ରଭାତୀଙ୍କୁ ସ୍କୁଲ ନେବା ପାଇଁ ଡ଼ାକିଥିବା ବେଳେ ଶଶ୍ୱର ବୋହୂ ଘରେ ନଥିବା କହିଥିଲେ ।
ପରେ ପରିବାର ଲୋକ ଏଣେତେଣେ ଖୋଜାଖୋଜି କରିବାରୁ ଘର ସାମ୍ନାରେ ଥିବା ଗ୍ୟାରେଜ ଘରୁ ବାହାରୁ ତାଲା ପଡ଼ିଥିବା ଦେଖିଥିଲେ । ଘର ତାଲା ଭାଙ୍ଗିବାରୁ ପ୍ରଭାତୀ ଘର ଭିତରେ ସନ୍ଦେହ ଜନକ ଭାବେ ମରିପଡ଼ିଥିବା ଦେଖିବାକୁ ପାଇଥିଲେ ।ପ୍ରଭାତୀ ତୁମୁସିଙ୍ଗା ଗ୍ରାମର ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଆଜକୁ ଦୁଇ ବର୍ଷ ତଳେ ସ୍ୱାମୀ ସତ୍ୟାନନ୍ଦ ପ୍ରଧାନଙ୍କର ମୃତ୍ୟୁ ହୋଇସାରିଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଖବରପାଇ ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ଶବ ଜବତ କରିବା ସହ ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର ସହାୟତା ନେଇଛି।