ହଠାତ୍ ନଈରେ ମାଡ଼ି ଆସିଲା ପାଣି। ଏହି ସମୟରେ ନଦୀ ପାର ହେଉଥିବା ଜଣେ ବୃଦ୍ଧା ସ୍ରୋତରେ ଭାସିଗଲେ। ସୌଭାଗ୍ୟକୁ ଏକ ଟାପୁରେ ଅଟକି ରହିଥିଲେ। ୩ଦିନ ଧରି ବର୍ଷାରେ ଭିଜି ଭୋକ ଉପାସରେ ସେଠାରେ ରହିଥିଲେ। ଶେଷରେ, ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଛି।ମୟୁରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକ ଅଙ୍ଗାରପଦା ପଞ୍ଚାୟତର କଲନ୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି କିଛି । କଲନ୍ଦା ଗାଁର ଖଇରିଭଣ୍ଡନ ଏବଂ ବୈତରଣୀ ନଦୀର ସଙ୍ଗମ ସ୍ଥଳ ହୋମୁହାଁଣିର ନିକଟସ୍ଥ ଏକ ନାଳର ଟାପୁରେ ଅଶି ବର୍ଷ ବୃଦ୍ଧା ତିନି ଦିନ ଫସି ରହିଥିଲେ । ସ୍ଥାନୀୟ ଯୁବକ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ରରୁଆଁ ଅଗ୍ନିଶମ ବିଭାଗ ଦାଇତ୍ୱରେ ଥିବା ନିରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ପହଁଞ୍ଚି ନାଳ ପାର ହୋଇ ଲାଇଫ ଜାକେଟ ସାହାଯ୍ୟରେ ଉଦ୍ଧାର କରିଥିଲେ । ଆଉ ସଙ୍ଗେ ସଙ୍ଗେ ରରୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ସନ୍ଧ୍ୟା ବେଳେ ପୀଡ଼ିତାଙ୍କୁ ନେଇ ପହଞ୍ଚାଇଥିଲେ । ପରେ ପରିଚୟ ଜାଣିବାକୁ ଉଦ୍ୟମ କରିଥିଲେ। ବୃଦ୍ଧାଙ୍କ ମାନସିକ ସ୍ଥିତି ଠିକ୍ ନଥିଲା। ତଥାପି ତାଙ୍କଠାରୁ ମିଳିଥିବା ସାମାନ୍ୟ ସୂଚନା ଆଧାରରେ ଝାଡ଼ଖଣ୍ଡ ପୁଲିସ ସହିତ ଯୋଗାଯୋଗ କରାଯାଇଥିଲା। ପରେ ଚାମ୍ପିଲା ଗାଁ ମୁଖିଆ ମଣ୍ଡା ମାଣିକଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିଲା। ତେବେ ମୁଙ୍ଗୀ ପିଙ୍ଗୁଆଙ୍କ ପରିବାର ସମେତ କିଛି ଗ୍ରାମବାସୀ ପହଞ୍ଚି ତାଙ୍କୁ ନିଜ ଘରକୁ ନେଇଥିଲେ।
