ବିନା ଲାଇସେନ୍ସରେ ଚାଲିଥିଲା ମେଡ଼ିସିନ ଦୋକାନ, ହଠାତ ଚଢ଼ାଉ କଲା ଡ୍ରଗ୍ସ ସ୍କ୍ୱାଡ୍

ବାଣପୁର ବଜାରରେ ବିନା ଲାଇସେନ୍ସରେ ବେଧଡକ ଭାବେ ଦୀର୍ଘ ବର୍ଷଧରି ଚାଲିଥିଲା ବେଆଇନ ଔଷଧ ଦୋକାନ। ବର୍ତ୍ତମାନ ବେଆଇନୀ ଔଷଧ ବ୍ୟବସାୟର ପର୍ଦ୍ଦାଫାସ କରିଛି ଡ୍ରଗ୍ସ ସ୍କ୍ୱାଡ୍ ।ଏଲୋପ୍ୟାଥି, ହୋମିଓପ୍ୟାଥୀ ସହ ଆୟୁର୍ବେଦିକ ଔଷଧ ଗ୍ରାହକଙ୍କୁ ବିକ୍ରିକରି ମାଲେମାଲ ହେଉଥିଲେ ବ୍ୟବସାୟୀ । ଖବରପାଇ ଆଜି ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ୪ ଜଣିଆ ଡ୍ରଗ୍ସ ସ୍କ୍ୱାଡ଼ ଆସି ଚଢାଉ କରିଛି । ପ୍ରାୟ ୬ ଘଣ୍ଟା ଧରି ଛାନଭିନ ପରେ ୬୦ ରୁ ୬୫ ପ୍ରକାରର ଏଲୋପ୍ୟାଥି ଔଷଧ ସହ ହୋମିଓପ୍ୟାଥି ଔଷଧ ମଧ୍ୟ ଜବତ କରାଯାଇଛି। ‘ଆରୋଗ୍ୟ ସଦନ’ ନାମରେ ଚକଚକିଆ ବୋର୍ଡ ଲଗାଇ ଗ୍ରାହକଙ୍କୁ ଠକିବାର ଚତୁର ଉପାୟ ଅପଣାଇଥିବା ବ୍ୟବସାୟୀ ଦୀର୍ଘ ସମୟ ଧରି ନିର୍ଭୟରେ ଦୋକାନ ଖୋଲି ରଖିଥିଲେ। ଦୋକାନରେ ଚଢ଼ାଉ ପରେ ଡ୍ରଗ୍ସ ବିଭାଗ ଦୋକାନ ମାଲିକଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିଲା। ବିପୁଳ ପରିମାଣର ଔଷଧ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ ଚାଲିଥିଲା। ଏହି ଘଟଣାରେ ମାମଲା ରୁଜୁ ହେବା ସହ ଔଷଧ କେଉଁଠୁ ଆସୁଥିଲା ଓ କିଏ ଦେଉଥିଲା, ସେଥିରେ ମଧ୍ୟ ତଦନ୍ତ କରାଯିବ ବୋଲି ଆସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲର କହିଛନ୍ତି।

ଅଧିକ ପଢନ୍ତୁ