ବରଫରେ ଲାଗିଲା ଭୟଙ୍କର ନିଆଁ ! ‘ମାଉଣ୍ଟ ଏଟନା’ ଆଗ୍ନେୟଗିରି ପାହାଡ଼ରେ କିଛି ଓଲଟା ଦୃଶ୍ୟ

ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି|ଇଟାଲୀର ପ୍ରସିଦ୍ଧ ‘ମାଉଣ୍ଟ ଏଟନା’ ଆଗ୍ନେୟଗିରି ପାହାଡ଼ରେ କିଛି ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଚାରିଆଡ଼େ ଧଳା ବରଫର ଚାଦର ବିଛା ହୋଇଥିବା ବେଳେ ତା’ ଭିତରୁ ନିଆଁର ଲହରୀ ବାହାରୁଥିବା ଦେଖାଯାଇଛି । ଲୋକେ ଏହାକୁ ଏକ ‘ଚମତ୍କାର’ ବୋଲି କହୁଥିବା ବେଳେ ଏହା ପଛରେ ରହିଛି ବିଜ୍ଞାନର ଏକ ରହସ୍ୟ ।ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର ହୋଇଥିବା ଏହି ଦୃଶ୍ୟର ଏକ ଭିଡିଓରେ ପର୍ବତ ଶିଖରରେ ଥିବା ବରଫ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଚମତ୍କାର ଲାର୍ଭାର ଧାରା ଦେଖାଯାଉଛି। ଅନ୍ୟପଟେ ପ୍ରବଳ ତୁଷାରପାତ ଯୋଗୁ ପାହାଡରେ ବରଫ ଢ଼ାଙ୍କି ହୋଇ ରହିଛି। ଧୂଆଁ ଏବଂ ଲାର୍ଭା ଏବେ ବି ସମଗ୍ର ଅଞ୍ଚଳକୁ ଗ୍ରାସ କରୁଛି।ପ୍ରକୃତରେ ଏହା କୌଣସି ଯାଦୁ କିମ୍ବା ଚମତ୍କାର ନୁହେଁ । ମାଉଣ୍ଟ ଏଟନା ହେଉଛି ୟୁରୋପର ସବୁଠାରୁ ସକ୍ରିୟ ଆଗ୍ନେୟଗିରି । ଏଥିରେ ପ୍ରାୟ ସବୁବେଳେ ବିସ୍ଫୋରଣ ଘଟିଥାଏ। ଯେତେବେଳେ ଶୀତଦିନେ ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହୁଏ, ସେତେବେଳେ ପାହାଡ଼ ଗୁଡ଼ିକ ମୋଟା ବରଫର ସ୍ତରରେ ଢାଙ୍କି ହୋଇଯାଏ। କିନ୍ତୁ ଆଗ୍ନେୟଗିରି ଭିତରେ ଥିବା ଗରମ ଲାଭା ସ୍ଥିର ରହେ ନାହିଁ ।ଯେତେବେଳେ ଆଗ୍ନେୟଗିରିରୁ ଲାଭା ବାହାରିବା ଆରମ୍ଭ କରେ, ତାହାର ତାପମାତ୍ରା ୧୦୦୦ ଡିଗ୍ରୀ ସେଲସିୟସରୁ ଅଧିକ ଥାଏ। ଏହି ଗରମ ଲାଭା ଯେତେବେଳେ ବରଫ ସଂସ୍ପର୍ଶରେ ଆସେ, ସେତେବେଳେ ବରଫ ତରଳିବା ପରିବର୍ତ୍ତେ ସିଧାସଳଖ ବାଷ୍ପରେ ପରିଣତ ହୋଇଥାଏ । ଅନେକ ସମୟରେ ଲାଭା ବରଫର ମୋଟା ସ୍ତର ତଳେ ବୋହିଥାଏ ଏବଂ କେଉଁଠି କେଉଁଠି ବରଫକୁ ଫାଟ କରି ବାହାରକୁ ବାହାରି ଆସେ । ଏହାଫଳରେ ବରଫ ଭିତରୁ ନିଆଁ ବାହାରୁଥିବା ଭଳି ଦୃଶ୍ୟ ସୃଷ୍ଟି ହୁଏ।

ଯଦିଓ ଏହା ଦେଖିବାକୁ ଖୁବ୍ ସୁନ୍ଦର, କିନ୍ତୁ ଏହା ଅତ୍ୟନ୍ତ ବିପଦଜନକ। ଯେତେବେଳେ ଅତି ଗରମ ଲାଭା ଏବଂ ଅତି ଥଣ୍ଡା ବରଫ ପରସ୍ପର ସହ ମିଶନ୍ତି, ସେତେବେଳେ ‘ଫ୍ରିଟିକ୍ ଏକ୍ସପ୍ଲୋଜନ୍’ ହେବାର ସମ୍ଭାବନା ଥାଏ । ଗରମ ଲାଭା ଯୋଗୁଁ ବରଫ ତଳେ ଥିବା ପାଣି ହଠାତ୍ ବାଷ୍ପ ହୋଇ ଚାପ ସୃଷ୍ଟି କରେ, ଯାହାଫଳରେ ବରଫ ଏବଂ ପଥର ଖଣ୍ଡଗୁଡ଼ିକ ଗୁଳି ଭଳି ଚାରିଆଡ଼କୁ ବିଛାଡ଼ି ହୋଇ ପଡ଼ନ୍ତି। ଏଥିରେ ପର୍ଯ୍ୟଟକମାନେ ଆହତ ହେବାର ଭୟ ଥାଏ ।

ଅଧିକ ପଢନ୍ତୁ