ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘରେ ଯୁବକଙ୍କ ହଙ୍ଗାମା

ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା। ରାତି ଅଧରେ ୧୫ ରୁ ୨୦ ଜଣ ଯୁବକ ତାଙ୍କ ଘର ଆଗରେ ହୋହାଲ୍ଲା କରିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ମାରପିଟ୍ କରିଥିଲେ। ଏହା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଚମକ ଦେଇଥିଲେ।ଘର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ମାଡ଼ ମାରିଥିଲେ । ଘର ଆଗରେ ବାଣ ଫୁଟାଇ ପାଟିତୁଣ୍ଡ କରିଥିଲେ। ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତାପ ଜେନା ବର୍ଷିଛନ୍ତି। ସେ କହିଛନ୍ତି ଯେ, ରାଜଧାନୀରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲାଣି। ମୁଁ ଜଣେ ପୂର୍ବତନ ବିଧାୟକ, ମନ୍ତ୍ରୀ ହୋଇ ମୋ ଘର ଉପରେ ଆକ୍ରମଣ ହେଉଛି। ଖୋଦ ହାର୍ଟ ଅଫ ଦ ସିଟିରେ ଏଭଳି ଘଟଣା ଘଟୁଛି। ତେବେ ସାଧାରଣ ଲୋକ ଏଠି କେତେ ସୁରକ୍ଷିତ? ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ରାଜଧାନୀ ସହରରେ ଖୋଲାଖୋଲି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୋଲିସ ଡିଜି ୱାଇ ବି ଖୁରାନିଆ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି । ଏହି ଘଟଣା ପରେ ପ୍ରତାପଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଅଧିକ ପଢନ୍ତୁ