ବର୍ଷକୁ ମାତ୍ର ଥରେ ସୁନାକୂଅ ଜଳରେ ସ୍ନାନ କରନ୍ତି ଚତୁର୍ଦ୍ଧାମୂର୍ତ୍ତି କିନ୍ତୁ କାହିଁକି ?

ଦେବସ୍ନାନ ପୂର୍ଣ୍ଣିମାରେ ହୁଏ ମହାପ୍ରଭୁଙ୍କ ମହାସ୍ନାନ ଯାତ୍ରା । ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ହେଉଛି ମହାପ୍ରଭୁଙ୍କ ଦିବ୍ୟସ୍ନାନ । ଆଜି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯିବ ।ତେବେ ଏହି ଜଳ ଗୋଟିଏ ବର୍ଷ ପୂର୍ବରୁ ଗଚ୍ଛିତ ହୋଇ ରଖାଯାଇଥାଏ । କୁହାଯାଏ ଏହି ଜଳ ଯେଉଁ ସ୍ଥାନରୁ ଆସିଥାଏ ତାହାର ନାମ ‘ସୁନା କୂଅ’ । ତେବେ ଏହିଠାରୁ ହିଁ ଠାକୁରଙ୍କ ଲାଗି ପାଣି ଯାଇଥାଏ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ସୁବାସିତ ଜଳ , ପ୍ରଭୁ ବଳଭଦ୍ରଙ୍କୁ ୩୩ ଗରା ଏବଂ ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ଚକ୍ରରାଜ ପ୍ରଭୁ ଶ୍ରୀ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଏ ଏବଂ ଏହି ଦିନ ଗଜାନନ ବେଶରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି ।୧୦୮ ଗରା ଜଳରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଶ୍ରୀମନ୍ଦିର ଭିତରେ ଅନେକ କୂଅ ରହିଛି । ତେବେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଥିବା ମା’ ଶୀତଳା ସମ୍ମୁଖ ଭାଗରେ ଯେଉଁ କୂଅ ରହିଛି ତାହାକୁ ସୁନା କୂଅ କୁହାଯାଏ । ଏହା ବର୍ଷ ସାରା ଆବୃତ ହୋଇ ରହିଥାଏ ।

ଏହି କୂପର ଜଳ ବର୍ଷ ସାରା କୌଣସି କାର୍ଯ୍ଯରେ ବ୍ୟବହାର ହୁଏନି । କେବଳ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଏହି କୂପ ଜଳରେ ଚତୁର୍ଦ୍ଧାମୂର୍ତ୍ତୀ ସ୍ନାନ କରିଥାନ୍ତି ସ୍ନାନ ମଣ୍ଡପରେ । ତେବେ କୁହାଯାଏ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଭାରତର ଥିବା ସବୁ ତୀର୍ଥ ଜଳ ଏହି କୂପକୁ ଆସିଥାଏ । ସ୍ନାନଯାତ୍ରା ସରିବା ପରେ ଏହି କୂପରୁ ସବୁ ତୀର୍ଥ ଜଳ ଅନ୍ତର୍ଦ୍ଧାନ ହୋଇଯାଆନ୍ତି । ଏଣୁ ଏହି କୂପର ଜଳକୁ ବର୍ଷକୁ ଗୋଟିଏ ଦିନ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ସ୍ନାନ ପାଇଁ ବ୍ୟବହାର ହୋଇଥାଏ ।

ଅଧିକ ପଢନ୍ତୁ

kc ads