ବର୍ଷାରେ ନିଜ ଧାନ ଫସଲକୁ ନଷ୍ଟ ହେବାର ଦେଖି ଚାଲିଗଲା ବୃଦ୍ଧଙ୍କ ଜୀବନ

ପୁରୀ ପିପିଲି ଅଞ୍ଚଳରେ ଅଦିନିଆ ବର୍ଷରେ ଫସଲ ନଷ୍ଟ ପରେ ଜଣେ ଚାଷୀ ଗତକାଲି ଟଳି ପଡ଼ିଥିଲେ । ଆଜି ମୃତ ଚାଷୀଙ୍କ ଘରେ ପହଞ୍ଚିଛି ପ୍ରଶାସନ । ସୂଚନାମୁତାବକ ପୁରୀ ଜିଲ୍ଲା ସତ୍ୟବାଦୀ ବିରାମଚନ୍ଦ୍ରପୁରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁର ପୂର୍ଣ୍ଣଚନ୍ଦ୍ର ଦଳାଇ । ବୟସ ୭୫ ବର୍ଷ । ଯାହାଙ୍କର ବିଲ ମୁଣ୍ଡରେ ହିଁ ଚାଲିଯାଇଛି ଜୀବନ । ଘଟଣା କଣ ବୁଝୁ ବୁଝୁ ସାମ୍ନାକୁ ଆସିଲା ହୃଦୟ ବିଦାରକ କାହାଣୀ ।ପୂର୍ଣ୍ଣଚନ୍ଦ୍ର ନିଜ ଜମିରେ ଧାନ ଚାଷ କରିଥିଲେ । ଭଲ ଫସଲ ବି ହୋଇଥିଲା । ତେବେ ସବୁଦିନ ଭଳି ସକାଳୁ ସକାଳୁ ପୁଅକୁ ଡାକି ବିଲ ଆଡେ ବୁଲି ଯାଇଥିଲେ ପୂର୍ଣ୍ଣ । ସେଠାରେ ଯାଇ ଦେଖିଲାବେଳକୁ ଧାନ ବିଲ ବୁଡିଯାଇଛି ବର୍ଷା ପାଣିରେ । ଯାହାକୁ ଦେଖି ଦୁଃଖରେ ଭାଙ୍ଗିପଡିଥିଲେ ସେ ।

ନିଜ କଷ୍ଟ ଅର୍ଜିତ ଫସଲକୁ ଏଭଳି ନଷ୍ଟ ହେବାର ଦେଖି ସହିପାରିଲେନି ପୂର୍ଣ୍ଣ । ଦେଖୁ ଦେଖୁ ସେହି ବିଲ ମୁଣ୍ଡରେ ଟଳିପଡିଲେ । ସେଠାରୁ ଉପସ୍ଥିତ ଥିବା ପୂର୍ଣ୍ଣଙ୍କ ପୁଅ କିଛି ଗ୍ରମାବାସୀଙ୍କ ସହାୟତାରେ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସତ୍ୟବାଦୀ ତହସିଲଦାର ସନ୍ତୋଷ ପାଣିଗ୍ରାହୀ ଚାଷୀଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ସହାୟତା କରିଛନ୍ତି । ସମ୍ପୂର୍ଣ୍ଣ ତଦନ୍ତ ପରେ ସରକାର ଯାହା କିଛି ନିଷ୍ପତି ନେବେ ବୋଲି ସେମାନେ କହିଛନ୍ତି ।

ଅଧିକ ପଢନ୍ତୁ