ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକା ପୋଡ଼ି ଘଟଣାରେ ତଦନ୍ତକୁ ଜୋରଦାର କରିଛି ପୋଲିସ। ଏକାସଙ୍ଗେ ତିନିଟି ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ତଦନ୍ତ କରୁଛନ୍ତି । ଗୋଟିଏ ଟିମ୍ ପୀଡ଼ିତାଙ୍କ ଘରେ ପହଞ୍ଚିଥିବା ବେଳେ ଅନ୍ୟ ଏକ ଟିମ୍ ପୀଡ଼ିତାଙ୍କ ସାଙ୍ଗଙ୍କ ଘରେ ପହଞ୍ଚିଛି । ସେହିପରି ଆଉ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗତକାଲି ବିଳମ୍ବିତ ରାତିରେ ମଧ୍ୟ ପୋଲିସର ସ୍ପେଶାଲ ଟିମ୍ ପୀଡ଼ିତାଙ୍କ ଘରେ ଛାନଭିନ୍ କରିଛି। ବଳଙ୍ଗା ବଜ଼ାରର ଅନେକ ଅଳଙ୍କାର ଦୋକାନରେ ପଚରାଉଚରା କରିଛି ପୋଲିସ । ଦିନକ ତଳେ ରୁପା ମୁଦି ମିଳିଥିଲା । ତେଣୁ କେଉଁଠୁ ଆସିଥିଲା ରୁପା ମୁଦି, ସେଥିପାଇଁ ଅଳଙ୍କାର ଦୋକାନୀଙ୍କୁ ପଚରାଉଚରା କରାଯାଇଛି। ତେବେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ବଳଙ୍ଗା-ହରିପୁର ରାସ୍ତାରେ ଘଟଣାସ୍ଥଳଠୁ ଆଖପାଖରେ ମାତ୍ର ୨ଜଣଙ୍କ ଘର ସାମ୍ନାରେ ସିସି କ୍ୟାମେରା ଖଞ୍ଜାଯାଇଛି ।
ଘଟଣାସ୍ଥଳଠୁ ୫୦୦ ମିଟର ଦୂରରେ ଥିବା ସିସି କ୍ୟାମେରାଟି ଅଚଳ ଅଛି । ୨-୩ କିମି ଦୂରରେ ଥିବା ସିସି କ୍ୟାମେରାଟି ସକ୍ରିୟ ଥିଲେ ହେଁ, କୌଣସି ସନ୍ଦିଗ୍ଧ ବାଇକ୍ ଆରୋହୀଙ୍କ ଗତିବିଧି ରେକର୍ଡ ହୋଇନାହିଁ । ସେପଟେ ପୀଡ଼ିତାଙ୍କ ପରିବାର ଲୋକ ଓ ପୀଡ଼ିତାର ସାଙ୍ଗଙ୍କୁ ଘନଘନ ପଚରାଉଚରା କରାଯାଉଛି । ସେମାନଙ୍କ ବୟାନରେ ତାଳମେଳ ରହୁନାହିଁ । ରବିବାର ପୀଡ଼ିତାର ପିଉସୀଙ୍କୁ ଅଜ୍ଞାତସ୍ଥାନକୁ ନେଇ ପୁଲିସ ପଚରାଉଚରା କରୁଛି । ପାର୍ସଲ୍ ଆସିଥିବା କହି ପୀଡ଼ିତାଜଣକ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ବୋଲି ପରିବାର ଲୋକେ କହିଛନ୍ତି । ତେବେ କୌଣସି ଅନ୍ଲାଇନ୍ ସପିଂ ସଂସ୍ଥା ସକାଳ ୭ରୁ ୮ଟା ବେଳେ ପାର୍ସଲ ଦେଉନଥିବାରୁ ଏହି ତଥ୍ୟକୁ ସନ୍ଦେହ ନଜରରେ ଦେଖୁଛି ପୁଲିସ ।