ବାଂଲାଦେଶୀ ବାହାରିବା ପରେ ଆକ୍ସନ ମୋଡରେ ଓଡ଼ିଶା ପୋଲିସ

ନିଜ ଘର ନିଜେ ଭାଙ୍ଗିଲେ ବାଂଲାଦେଶୀ । ଜଗତସିଂହପୁର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ବାଂଲାଦେଶୀ ହଟାଅ ଅଭିଯାନକୁ ଜୋରଦାର କରାଯାଇଛି । ବିଭିନ୍ନ ସ୍ଥାନରେ ବେଆଇନ ଭାବେ ସରକାରୀ ଜାଗାରେ ଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରକୁ ଭଙ୍ଗା ଯାଉଛି । ତେବେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲାରେ ବ୍ୟାପକ ଚଢ଼ାଉ ଓ ଧରପଗଡ଼ ଜାରି ରହିଛି।ବହୁ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଏବେ ବି ଅଟକ ରଖି ପୁଲିସ ପଚରାଉଚରାକୁ ବଳବତ୍ତର ରଖିଛି ।ତେବେ ରାଜ୍ୟ ଉପକୂଳ ନିକଟରେ ଥିବା ସୁବର୍ଣ୍ଣରେଖା, ହ୍ବିଲର୍ ଆଦି ୧୦ରୁ ଅଧିକ ଦ୍ୱୀପପୁଞ୍ଜ ସୁରକ୍ଷା ଶୂନ୍ୟ ରହିଥିବାରୁ ଅନୁପ୍ରବେଶକାରୀମାନେ ଏହି ଦ୍ୱୀପଗୁଡ଼ିକୁ ନିରାପଦ ଆଡ୍ଡା ଭାବେ ବ୍ୟବହାର କରୁଛନ୍ତି। ଅଭିଯୋଗ ଅନୁଯାୟୀ, ଏକ ସଂଘବଦ୍ଧ ରାକେଟ୍ ଜରିଆରେ ପ୍ରଥମେ ଦ୍ୱୀପରେ ରହି ପରେ ନକଲି କାଗଜପତ୍ର ସହାୟତାରେ ସେମାନେ ମୁଖ୍ୟ ଭୂଖଣ୍ଡକୁ ପ୍ରବେଶ କରୁଛନ୍ତି। ରାକେଟ୍ ଜଣେ ଅନୁପ୍ରବେଶକାରୀଙ୍କୁ ଓଡ଼ିଶା ଆଣିବା ବଦଳରେ ୫ ରୁ ୬ ହଜାର ଟଙ୍କା ନେଉଛି।ସେପଟେ ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟ କଠୋର ରହିଛି । ସରକାର ଆସିବା ପରେ ଗୋଟିଏ ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯାଇଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ । ଆଇନ ମନ୍ତ୍ରୀଙ୍କ କହିବାନୁଯାୟୀ, ଯେଉଁଠି ଯେଉଁଠି ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ, ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ ଏବଂ ସେମାନଙ୍କୁ ଦେଶରୁ ବାହାର କରିବା ପାଇଁ ନିଷ୍ପତ୍ତି ମଧ୍ୟ ହୋଇଛି । ଏନେଇ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିବେ ।

ଅଧିକ ପଢନ୍ତୁ