ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯୋଗୁ ସେଠାକାର ନାଗରିକ ଉପକୂଳ ସୀମା ଦେଇ ଭାରତର ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରେ ପ୍ରବେଶ କରିପାରନ୍ତି। ପୂର୍ବରୁ ଉପକୂଳ ଓଡ଼ିଶାରେ ବାଂଲାଦେଶ ନାଗରିକମାନେ ଅବାଧରେ ସେମାନଙ୍କ କାୟା ବିସ୍ତାର କରି ସାରିଛନ୍ତି। । ସେଥିପାଇଁ ଜଗିଛନ୍ତି ପୁଲିସ କର୍ମଚାରୀ। ଦୈନିକ ଶହଶହ ବାଂଲାଦେଶୀ ଏହି ସମୁଦ୍ର ପଥ ଦେଇ ଆସନ୍ତି। ହେଲେ ଏବେ ବାଂଲାଦେଶ ଅଶାନ୍ତ ହୋଇ ପଡ଼ିଥିବାରୁ ସମୁଦ୍ର ପଥ ଉପରେ କଡ଼ା ନଜର ରଖିଛି ସମସ୍ତ ସାମୁଦ୍ରିକ ଥାନା। ସମୁଦ୍ର ଭିତରକୁ କିଏ ଯାଉଛି, କିଏ ଆସୁଛି, ତା’ର କଡ଼ାକଡ଼ି ଯାଞ୍ଚ କରାଯାଉଛି। ତାନ୍ତିଆପାଳ ମେରାଇନ୍ ଥାନାରେ ୪୦ ଜଣ କର୍ମଚାରୀ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୧୦ ଜଣ। ସମାନ ଅବସ୍ଥା ଜମ୍ବୁ ଓ ତଳଚୁଆ ମେରାଇନ୍ ଥାନାରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମତ୍ସ୍ୟଜୀବୀ।
୨୦୧୫ ମାର୍ଚ୍ଚ ୩୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଓଡ଼ିଶାରେ ୩,୯୯୭ ବାଂଲାଦେଶ ନାଗରିକ ରହିଛନ୍ତି ବୋଲି କହିଥିଲେ। ସେମାନଙ୍କ ମଧ୍ୟରୁ ଜଗତ୍ସିଂହପୁର ଜିଲାରେ ୧,୧୧୨ ଅଛନ୍ତି। ଜଗତ୍ସିଂହପୁର ୬୪, କୁଜଙ୍ଗ ୨୧୩, ବାଲିକୁଦା ୧୧୫, ଏରସମା ୪୨୩ ଓ ପାରାଦୀପରେ ୨୯୭। ସରକାର ଘୋଷଣା କଲେ ଅଥଚ ବିତାଡ଼ନ ବ୍ୟବସ୍ଥା କରିନାହାନ୍ତି, ଯଦ୍ଦ୍ବାରା ସେମାନେ ନିଜର ବନ୍ଧୁ ପରିଜନ ଆଳରେ ତାଙ୍କ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛନ୍ତି। ଜଙ୍ଗଲ ଜମି, ନଦୀ ପାଖ ଜାଗା, ଯୋର, ଅନାବାଦୀ, ଚିଙ୍ଗୁଡ଼ି ଘେରି, ସରକାରୀ ଜାଗା ଦଖଲ କରିଗଲେଣି। ଏ ପରିସ୍ଥିତିରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ରୋକିବା ବଡ଼ ଆହ୍ବାନ ପାଲଟିଛି।