୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶନିବାର ଭଦ୍ରକ ଜିଲା ଗସ୍ତରେ ଆସି ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ପରିଦର୍ଶନ କରିଛନ୍ତି। ନିଜେ ବାଇକ୍ ଚଳାଇ ସେ ବିଭିନ୍ନ ନଦୀବନ୍ଧ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ବୁଝିଛନ୍ତି। 5-T ଅଧ୍ୟକ୍ଷ ନିଜେ ଗାଡି ଅଟକାଇ ନଦୀ କୂଳରେ ରହୁଥିବା ବାସିନ୍ଦାଙ୍କ ସହ କଥା ହୋଇଛନ୍ତି ଆଉ କହିଛନ୍ତି ଯେ, କିଛି ଅଭାବ କିମ୍ବା ଦାବି ଥିଲେ ମୋତେ ନିଜେ ଲିଖିତ ଭାବେ ଜଣାନ୍ତୁ । ଅନେକ ଲୋକେ ନିଜ ନିଜର ଅଭିଯୋଗକୁ ଲିଖିତ ଆକାରରେ ମଧ୍ୟ ଦେଇଛନ୍ତି । ଏମିତି କି ଅନେକ ସ୍ଥାନରେ 5-T ଅଧ୍ୟକ୍ଷଙ୍କ ସହ ସେଲ୍ଫି ନେଇଛନ୍ତି । ପରେ ନଦୀ ବନ୍ଧର ମଲ୍ଲି ମାହାରା ଓ ଗୌରାଙ୍ଗପୁର ଏସ୍କେପ ଯାଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବନ୍ୟା ସମୟରେ ଲୋକଙ୍କ ପାଇଁ ଦୁଃଖ ସାଜିଥିବା ଏହି ଏସ୍କେପକୁ କେମିତି ଭାବେ ପରିଚାଳନା କଲେ ସମାଧାନ ହେବ ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି ।
କୋଚିଳା ନଦୀରେ ପ୍ରସ୍ତାବିତ ବ୍ୟାରେଜ୍ ସ୍ଥାନକୁ ଯାଇ କାର୍ଯ୍ୟ ଓ ସ୍ଥିତି ପରଖିଥିଲେ। ଏହାପରେ ଧାମନଗର ବ୍ଲକର ପାଳସାହି ଇନ୍ଦିରାଗାନ୍ଧୀ ସ୍ମୃତି ବିଜ୍ଞାନ ଓ ବୈଷୟିକ ଡିଗ୍ରୀ ମହାବିଦ୍ୟାଳୟ ନିକଟସ୍ଥ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ସେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ବାବଦ ବିଭିନ୍ନ ଭତ୍ତା ବୃଦ୍ଧି, ଛାତ୍ର ବୃତ୍ତି, ମମତା ଯୋଜନାରେ ଟଙ୍କା ବୃଦ୍ଧି ବିଷୟରେ ଜଣାଇଥିଲେ। ଦୁଇ ସାଧାରଣ ସଭାରେ ଉପସ୍ଥିତ ଜନସାଧାରଣଙ୍କଠାରୁ ଦରଖାସ୍ତ ଗ୍ରହଣ କରିଥିଲେ। ପୂର୍ବରୁ ଭଣ୍ଡାରିପୋଖରୀ ଏବଂ ଧାମନଗର ଆସିଥିବା ସମୟରେ ଗ୍ରହଣ କରିଥିବା ଦରଖାସ୍ତଗୁଡ଼ିକ ମଧ୍ୟରୁ ବହୁ ସଂଖ୍ୟାରେ ସମାଧାନ କରାଯାଇଥିବା କହିଥିଲେ।