ବାଟରେ ବାଇକ୍‌ରୁ ସରିଗଲା ପେଟ୍ରୋଲ: ଅଟୋରେ ଗାଡିକୁ ବୋହିକି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଆଣିଲେ ଚାଳକ

ବାଇକରେ ତେଲ ସରିଗଲା । ଆଉ ବୋତଲରେ ପେଟ୍ରୋଲ ମିଳୁ ନଥିବାରୁ ଡାଲା ଅଟୋରେ ଗାଡିକୁ ବୋହିକି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଆଣିଲେ ଚାଳକ । କଟକ, ନରସିଂହପୁର ଅଞ୍ଚଳରୁ ଆସିଛି ଏଭଳି ଘଟଣା । ନରସିଂହପୁର ନୂଖାପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କୌଣସି କାମରେ ଅନୁଗୁଳ ଯାଇଥିଲେ । ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୮ଟା ବେଳକୁ ନରସିଂହପୁର-ଅନୁଗୁଳ ଘାଟିରେ ତାଙ୍କ ବାଇକ୍‌ରୁ ତେଲ ସରିଗଲା । ନିକଟରେ ଥିବା କିଛି ପେଟ୍ରୋଲ ପମ୍ପ୍‌କୁ ଯାଇ ବୋତଲରେ ବ୍ୟକ୍ତି ଜଣକ ପେଟ୍ରୋଲ ମାଗିଲେ । କିନ୍ତୁ ପେଟ୍ରୋଲ ପମ୍ପ୍‌ ମାନଙ୍କୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ବୋତଲରେ ପେଟ୍ରୋଲ ଦେବାକୁ ମନା କରିଦିଆଗଲା । ଫଳରେ କୌଣସି ବାଟ ନପାଇ ଅନ୍ୟ କିଛି ଗାଡ଼ିରୁ ସହାୟତା ବି ମାଗିଥିଲେ । କିନ୍ତୁ କେହି ନିଜ ଗାଡ଼ିରୁ ପେଟ୍ରୋଲ କାଢ଼ି ଦେଲେନାହିଁ । ଘାଟି ରାସ୍ତାରେ ନେଟ୍‌ୱକ୍‌ ନ ଥିବାରୁ ଘରକୁ ମୋବାଇଲ୍‌ ସଂଯୋଗ ବି ହୋଇପାରିଲାନାହିଁ ।

ଶେଷରେ ଏହି ବାଟ ଦେଇ ନରସିଂହପୁର ଅଭିମୁଖେ ଯାଉଥିବା ଏକ ଖାଲି ପିକ୍‌ଅପ୍‌ର ଭ୍ୟାନ୍‌ରେ ବ୍ୟକ୍ତି ଜଣକ ସେଥିରେ ବାଇକ୍‌ ଲଦି ନରସିଂହପୁର ପର୍ଯ୍ୟନ୍ତ ଆଣିଥିଲେ । ନରସିଂହପୁର ଶ୍ରୀରାମବଜାର ନିକଟରେ ଥିବା ପେଟ୍ରୋଲ୍‌ ପମ୍ପ୍‌ରେ ବାଇକ୍‌ରେ ପେଟ୍ରୋଲ ପକାଇ ନିଜ ଘରକୁ ଫେରିଥିଲେ । ବୋତଲରେ ପେଟ୍ରୋଲ ବନ୍ଦ କରିବା ନିଷ୍ପତ୍ତି ପରେ ଏବେ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କେମିତି ଲୋକମାନେ ଏହି ସମସ୍ୟା ଦେଇ ଗତି କରୁଛନ୍ତି ତାର ଚିତ୍ର ବି ଦେଖିବାକୁ ମିଳୁଛି । ବାଇକରେ ତେଲ ସରିଗଲେ ପେଟ୍ରୋଲ ପମ୍ପରୁ ଆମେ କେମିତି ପେଟ୍ରୋଲ ଆଣିବୁ ବୋଲି ଲୋକ ପ୍ରଶ୍ନ କରିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital